ନୂଆଦିଲ୍ଲୀ: ପାକିସ୍ତାନର ପେଶୱାରସ୍ଥିତ ଏକ ମସଜିଦରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ହୋଇଛି । ଫଳରେ ୪୬ଜଣଙ୍କର ମୃତ୍ୟୁ ଘଟିଛି ଓ ୫୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାବେଳେ ମୃତକ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଖବର ପାଇ ସମସ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚିଛନ୍ତି । ଏନେଇ ପାକିସ୍ତାନ ମିଡିଆ ତରଫରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ଆତଙ୍କବାଦୀ ଭିଡ଼ ମଧ୍ୟରେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା । ଘଟଣା ପରେ ପେଶୱାର ପୁଲିସ ଉକ୍ତ ଅଞ୍ଚଳକୁ ଘେରି ଦେଇଛି । ହେଲେ ଏହି ଆତଙ୍କବାଦୀ ଆକ୍ରମଣକୁ କେଉଁ ସଂଘଠନ କରିଛି ସେନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ଅନ୍ୟପଟେ ପାକିସ୍ତାନୀ ସୁରକ୍ଷା ଏଜେନ୍ସି ସଜାଗ ରହିଛି ।