ଜାମ୍ମୁ-କାଶ୍ମୀରରେ ହେଉଥିବା ଆତଙ୍କ ପଛରେ ପାକିସ୍ଥାନର ହାତ ଅଛି: ୟୁରୋପୀୟ ସାଂସଦ ମଣ୍ଡଳ

ଶ୍ରୀନଗର,ଏଜେନ୍ସି: ଧାରା ୩୭୦ ଉଚ୍ଛେଦ ପରେ ବିଦେଶୀ ପ୍ରତିନିଧି ଦଳ ପ୍ରଥମ ଜାମ୍ମୁ- କଶ୍ମୀର ଗସ୍ତରେ ଆସିଛନ୍ତି। ୟୁରୋପୀୟ ସଂଘର ସାଂସଦମାନଙ୍କ ଏକ ୨୩ଜଣିଆ ପ୍ରତିନିଧିମଣ୍ଡଳୀ ଦେଶର ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କଶ୍ମୀରର ପରିସ୍ଥିତି ସମ୍ପର୍କରେ ଅବଗତ ହେବାପାଇଁ ଗତ ମଙ୍ଗଳବାର ଠାରୁ ଏକ ଦୁଇଦିନିଆ କଶ୍ମୀର ଗସ୍ତରେ ଆସିଛନ୍ତି।
ଏହି ପରିପ୍ରେକ୍ଷୀରେ ୟୁରୋପୀୟ ସାଂସଦମାନେ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନେ ଭେଟି କଶ୍ମୀରର ସୁରକ୍ଷା ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ।

ଏଥିସହ ଘାଟିରେ ହିଂସା ସୃଷ୍ଟି ପାଇଁ ପାକିସ୍ତାନର ଲଗାତାର ଷଡ଼ଯନ୍ତ୍ର ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ଅଧିକାରୀମାନେ ସେମାନଙ୍କୁ ପ୍ରମାଣ ସମ୍ବଳିତ ତଥ୍ୟ ପ୍ରଦାନ କରିଥିଲେ। ଅପରାହ୍ଣରେ ପ୍ରତିନିଧି ଦଳ ଶ୍ରୀନଗରର ବିଭିନ୍ନ ଅଞ୍ଚଳ ଗସ୍ତ କରି ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। ପରେ ସେମାନେ ଡାଲ୍‌ ହ୍ରଦ୍‌ରେ ନୌକା ବିହାର କରିଥିଲେ। ୟୁରୋପୀୟ ସଂଘର ସାଂସଦମାନଙ୍କ ଏକ ୨୩ ଜଣିଆ ପ୍ରତିନିଧି ମଣ୍ଡଳୀ ଜାମ୍ମୁ-କଶ୍ମୀର ଗସ୍ତ ଶେଷ କରି ଆଜି ଅପରାହ୍ଣରେ ରାଜ୍ୟ ଛାଡ଼ିବା

ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜାମ୍ମୁ- କଶ୍ମୀର ପ୍ରସଙ୍ଗରେ ଭାରତର ଭୂମିକାକୁ ସମର୍ଥନ ଜଣାଇଛନ୍ତି। ସେହିପରି ଜାମ୍ମୁ- କଶ୍ମୀରରେ ସୁରକ୍ଷା ବାହିନୀ ହାତରେ ପ୍ରାଣ ହରାଇଥିବା ଅଧିକାଂଶ ଆତଙ୍କବାଦୀ ପାକିସ୍ତାନର ବୋଲି ସେମାନେ କହିଛନ୍ତି। ଭାରତରେ ଆତଙ୍କବାଦୀ କାର୍ୟ୍ୟକଳାପକୁ ବଢ଼ାଇବା ପାଇଁ ପାକିସ୍ତାନୀ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପ୍ରୋତ୍ସାହନରେ ପାକିସ୍ତାନ ଯେଉଁ ବ୍ୟାପକ ଷଡ଼ଯନ୍ତ୍ର କରୁଛି, ସେ ସମ୍ପର୍କରେ ମଧ୍ୟ ୟୁରୋପୀୟ ପ୍ରତିନିଧି ପ୍ରମାଣ ପାଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।