ଲାଡ଼େନ ପାକିସ୍ତାନର ହିରୋ : ମୁଶରଫ

ଇସ୍ଲାମାବାଦ, ଏଜେନ୍ସି : ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ସହ ଲଢ଼ିବା ପାଇଁ କଶ୍ମୀରୀଙ୍କୁ ମୁଜାହିଦ୍ଦିନ ତାଲିମ ପ୍ରଦାନ କରୁଥିଲା ପାକିସ୍ତାନ। ଏକ ସାକ୍ଷାତକାରରେ ପୂର୍ବତନ ପାକ୍ ରାଷ୍ଟ୍ରପତି ପରଭେଜ ମୁଶରଫ କହିଛନ୍ତି। ଜିହାଦି ଆତଙ୍କୀଙ୍କୁ ପାକିସ୍ତାନର ନାୟକ ଭାବେ ବର୍ଣ୍ଣନା କରିବାକୁ ଯାଇ ସେ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଡ଼େନ, ଆୟମାନ ଅଲ-ଜୱାହିରୀ, ଜଲାଲୁଦ୍ଦିନ୍ ହାକାନିଙ୍କୁ ‘ପାକିସ୍ତାନର ହିରୋ’ ଭାବେ ଅଭିହିତ କରିଛନ୍ତି। ବୁଧବାର ପାକିସ୍ତାନୀ ରାଜନେତା ଫର୍ହାତୁଲ୍ଲାହ ବାବର ଟ୍ୱିଟରରେ ମୁଶରଫଙ୍କ ସାକ୍ଷାତକାରକୁ ପ୍ରସାରଣ କରିଥିଲେ। ଉକ୍ତ ସାକ୍ଷାତକାର କ୍ଲିପରେ ଖୋଦ ମୁଶରଫ କହୁଛନ୍ତି, ‘ପାକିସ୍ତାନରେ ପାଦ ଦେଉଥିବା କଶ୍ମୀରୀଙ୍କୁ ଆମେ ହିରୋ ଭଳି ସ୍ୱାଗତ କରୁ। ଆମେ ସେମାନଙ୍କ ସମସ୍ୟା ସମାଧାନ କରିବା ସହ ଆତଙ୍କୀ ତାଲିମ ଦେବାର ବନ୍ଦୋବସ୍ତ କରୁ। ସେମାନଙ୍କୁ ମୁଜାହିଦ୍ଦିନ ମଣି ଭାରତୀୟ ସେନା ସହ ଲଢ଼ିବାକୁ ପଠାଉ। କଶ୍ମୀରୀ ମୁଜାହିଦ୍ଦିନଙ୍କୁ ନେଇ ଲସ୍କର-ଇ-ତୋଏବା ଭଳି ଆତଙ୍କୀ ସଂଗଠନ ଗଠନ କରାଯାଇଛି। ଜିହାଦି ଆତଙ୍କୀମାନେ ଆମ ହିରୋ।’ ଉକ୍ତ ସାକ୍ଷାତକାରରେ ମୁଶରଫ ଆତଙ୍କୀ ଓସାମା ବିନ ଲାଡେନ ଓ ଜଲାଲୁଦ୍ଦିନ ହାକ୍କାନିଙ୍କୁ ପାକିସ୍ତାନୀ ହିରୋ କହିଥିବାର ଶୁଣିବାକୁ ମିଳିଛି।

ମୁଶରଫଙ୍କ ସୂଚନାନୁସାରେ ୧୯୭୯ରେ ଆଫଗାନିସ୍ତାନ ମାଟିରୁ ସୋଭିଏତକୁ ହଟାଇବା ପାଇଁ ପାକିସ୍ତାନ ଧାର୍ମିକ ଆତଙ୍କୀ ସଂଗଠନ ପ୍ରସ୍ତୁତ କଲା। ସାରା ବିଶ୍ୱରୁ ଆମେ ମୁଜାହିଦ୍ଦିନଙ୍କୁ ଆଣି ଏକଜୁଟ କଲୁ। ସେମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ଧରାଇ ଆତଙ୍କୀ ତାଲିମ ପ୍ରଦାନ କଲୁ। ତାଲିବାନ ସଂଗଠନ ପ୍ରସ୍ତୁତ କରି ଆଫଗାନିସ୍ତାନକୁ ପଠାଇଲୁ। ସେମାନେ ଆମର ହିରୋ। ହାକ୍କାନି ଆମ ହିରୋ। ଓସାମା ବିନ ଲାଡେନ ଆମ ହିରୋ। ଆୟମାନ ଅଲ-ଜୱାହିରୀ ଆମର ହିରୋ। ପରେ ବିଶ୍ୱ ପରିବେଶ ବଦଳିଗଲା। ବିଶ୍ୱବାସୀ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିବାକୁ ଲାଗିଲେ। ଆମ ହିରୋମାନେ ସେମାନଙ୍କୁ ଭିଲିଆନ ଭଳି ଦେଖାଗଲେ।ମୁଶରଫ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କଶ୍ମୀର ମାମଲାରେ ପାକିସ୍ତାନ ମୁଣ୍ଡ ପୂରାଉନାହିଁ ବୋଲି ଯାହା କହୁଛି, ସେସବୁ ସମ୍ପୂର୍ଣ୍ଣ ମିଛ। ବାସ୍ତବରେ ପାକିସ୍ତାନ କଶ୍ମୀରମାନଙ୍କୁ ଆତଙ୍କୀ ତାଲିମ ଦେଇ କଶ୍ମୀରକୁ ଆତଙ୍କୀଙ୍କ ଚରାଭୂଇଁ କରିବାକୁ ଚାହୁଁଛି।