ପାକିସ୍ତାନରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ କରି ଦିଆଯିବ ନାପୁଂସକ

ଇସ୍ଲାମାବାଦ: ପାକିସ୍ତାନରେ ଏବେ ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମହିଳା ଓ ଶିଶୁଙ୍କ ସହ ହେଉଥିବା ଯୌନ ଅପରାଧକୁ ରୋକିବା ପାଇଁ ସଂଘୀୟ ମନ୍ତ୍ରୀମଣ୍ଡଳ ଦୁଷ୍କର୍ମ ବିରୋଧୀ ୨ଟି ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଦୁଷ୍କର୍ମକାରୀଙ୍କ ଯୌନ କ୍ଷମତା କମ୍ କରିବା ଓ ଫାଶୀ ଭଳି କଠୋର ଦଣ୍ଡ ବିଧାନ କରିବା ହେଉଛି ଏହି ଅଧ୍ୟାଦେଶର ଉଦ୍ଦେଶ୍ୟ। ଏହି ଅଧ୍ୟାଦେଶ ବଳରେ ଦୁଷ୍କର୍ମକାରୀଙ୍କୁ ରାସାୟନିକ ଉପାୟରେ ନାପୁଂସକ କରିବା ଓ ଯୌନ ଉତ୍ପୀଡ଼ନ ମାମଲାର ଯଥାଶୀଘ୍ର ଶୁଣାଣି କରିବା ନିୟମ ରହିଛି।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି ଯେ, ଦୁଷ୍କର୍ମ ପୀଡ଼ିତା ବିନା କୌଣସି ଭୟରେ ଅଭିଯୋଗ ଦାୟର କରିପାରିବେ ଏବଂ ସରକାର ସେମାନଙ୍କ ପରିଚୟ ଲୁଚାଇ ରଖିବ। ସଂସଦରେ ଏହି ଆଇନ ଯଥାଶୀଘ୍ର ଉପସ୍ଥାପନ କରାଯିବ ବୋଲି ପାକିସ୍ତାନ ତହରୀଫ- ଏ-ଇନସାଫର ସାଂସଦ ଫେସଲ ଜାବେଦ ଟ୍ୱିଟ୍ କରି କହିଛନ୍ତି।