ପାଇକରାପୁର ପ୍ରଥମ ଗ୍ରାମାଞ୍ଚଳ କ୍ରିକେଟ୍ ଲିଗ୍ ଉଦଘାଟନୀ ମ୍ୟାଚ୍ ଜିତିଲା ଦେଉଳୀଆପାଟଣା

ଖଣ୍ଡଗିରି,ଏନ୍ଏନ୍ଏସ୍: ଭୁବନେଶ୍ୱର ବ୍ଲକ୍ ଅଧୀନ ପାଇକରାପୁର ଗ୍ରାମର ନୋଡାଲ ସ୍କୁଲ କ୍ରିକେଟ୍ ପଡ଼ିଆରେ ମା’ ଦୁଲାଦେବୀ କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ପ୍ରଥମ ଗ୍ରାମାଞ୍ଚଳ କ୍ରିକେଟ୍ ଲିଗ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚରେ ଦେଉଳିଆପାଟଣା ବିଜୟୀ ହୋଇଥିଲା। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦେଉଳୀପାଟଣା ନିର୍ଦ୍ଧାରିତ ୧୫ ଓଭରରେ ୮ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା। ଜବାବରେ ଘଙ୍ଗାପାଟଣା ଟିମ୍ ୭ ୱିକେଟ୍ ବିନିମୟରେ ୧୦୫ ରନ୍ କରି ୩ ରନ୍ରେ ମ୍ୟାଚ୍ ହାରିଥିଲା। ଗୁରୁବାର ଦୁଇଟି ମ୍ୟାଚ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ସକାଳ ସାଢ଼େ ୯ଟା ସମୟରେ ଅର୍ଜୁନପୁର ଟିମ୍ ଭେଟିବ କାଶୀପୁର କ୍ରିକେଟ ଟିମ୍କୁ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ଣ ସାଢ଼େ ଗୋଟାଏ ସମୟରେ ଯଦୁପୁର କ୍ରିକେଟ ଟିମ୍ ଓ ପଟିଆ କ୍ରିକେଟ ଟିମ୍ ମଧ୍ୟରେ ମୁକାବିଲା ହେବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟିମ୍ ଭାଗ ନେବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ମ୍ୟାଚ୍ ପୂର୍ବରୁ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଶିକ୍ଷାବିତ୍ କାହ୍ନୁଚରଣ ସାହୁ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଶାନ୍ତନୁ କୁମାର ରାଉତରାୟ ଯୋଗ ଦେଇଥିବା ବେଳେ ହେମନ୍ତ ପାଇକରାୟ, ମନୋଜ ରାଉତରାୟ, ଶିବ ପ୍ରସାଦ ତ୍ରିପାଠୀ, ପୀତବାସ ସାହୁ, ଗନ୍ଧର୍ବ ସାହୁ, ଚିନ୍ମୟ ସାହୁ, ଦୀପକ ଜେନା, ମୁଖ୍ୟ ପ୍ରଚେଷ୍ଟା ବିଜୟ ପ୍ରଧାନ, ସତ୍ୟବ୍ରତ, ଜୁଜୁନୁ ରାଉତରାୟ ପ୍ରମୁଖଙ୍କ ସହ ସମସ୍ତ କ୍ଲବ୍ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ। ଏହାକୁ ପରିଚାଳନା କରିଥିଲେ ବସନ୍ତ କୁମାର ସାହୁ ଓ ମଞ୍ଚ ପରିଚାଳନା କରିଥିଲେ କ୍ଲବର ଉପଦେଷ୍ଟା ସଞ୍ଜୟ ସୁବୁଦ୍ଧି। ମ୍ୟାଚ ଆରମ୍ଭରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଥମ ଥର ପାଇଁ ପଡ଼ିଆକୁ ନୋଟୋବାକୋ ଜୋନ ଓ ନୋପଲିଥିନ ଜୋନ୍ ଭାବେ ଘୋଷଣା କରାଯାଇଥିଲା। କୌଣସି ଖେଳାଳୀ କିମ୍ବା ଦର୍ଶକ ପଲିଥିନ କିମ୍ବା ଟୋବାକୋ ବ୍ୟବହାର କରିବେ ନାହିଁ ବୋଲି ଆୟୋଜକଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା।