ଖୋର୍ଦ୍ଧା,ଏନ୍ଏନ୍ଏସ୍: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧର ବରୁଣେଇ ଠାରେ ପାଇକ ସ୍ମାରକର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖିଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ। ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ ପାଇଁ ଭାରତର ମାନ୍ୟବର ରାଷ୍ଟ୍ରପତି ଆଜି ଖୋର୍ଦ୍ଧା ଆସିଛନ୍ତି। ଆମ ସମସ୍ତଙ୍କ ପକ୍ଷରୁ ମୁଁ ତାଙ୍କୁ ଓଡ଼ିଶାକୁ ସ୍ୱାଗତ କରୁଛି।
ମୁଁ ବହୁତ ଖୁସି ଯେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଏବଂ ପେଟ୍ରୋଲିୟମ ମନ୍ତ୍ରାଳୟର ମିଳିତ ଭାବେ ଏହି କାର୍ଯ୍ୟକୁ ହାତକୁ ନେଇଛନ୍ତି, ସେ ନେଇ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।
ଏହି ସ୍ମାରକ ନିର୍ମାଣ ପାଇଁ ସରକାର ଜମି ଯୋଗାଇ ଦେଇଛନ୍ତି ଏବଂ ଅନ୍ୟସବୁ ଭିତ୍ତିଭୂମୀ ସୁବିଧା ମଧ୍ୟ ଯୋଗାଇ ଦେବେ।
ପାଇକ ବିଦ୍ରୋହ ଥିଲା ବ୍ରିଟିଶ୍ ବିରୋଧରେ ଏକ ଗଣ ଆନ୍ଦୋଳନ। ସାରା ଓଡ଼ିଶା ଏଥିରେ ସାମିଲ ହୋଇଥିଲା। ଏହି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସ ଜଗବନ୍ଧୁ ଓ ଅନ୍ୟ ପାଇକ ବୀରମାନଙ୍କ ସ୍ମୃତି ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି।
ଓଡ଼ିଆ ଜାତି ସ୍ୱାଭୀମାନୀ ଓ ବୀର ଜାତି। ବୀର ପାଇକମାନଙ୍କ ସାହସ ଏବଂ ଯୁଦ୍ଧ କୌଶଳ ଯୋଗୁଁ ଓଡ଼ିଆ ଜାତି ଦିନେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିଥିଲା। ସମ୍ରାଟ ଖାରବେଳ, ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଦିଗବିଜୟ ଓଡ଼ିଆ ଜାତିର ଗୌରବ ବୃଦ୍ଧି କରିଥିଲେ।
ଆମର ବୀର ପାଇକମାନଙ୍କ ଦେଶଭକ୍ତି, ବୀରତ୍ୱ ଓ ସଂଗ୍ରାମ ଯୋଗୁଁ ଓଡ଼ିଶା ୧୮୦୩ ପର୍ଯ୍ୟନ୍ତ ଅଜେୟ ରହିଥିଲା।୧୮୧୭ରେ ଓଡ଼ିଆ ପାଇକ ହିଁ ଆରମ୍ଭ କରିଥିଲେ ବ୍ରିଟିଶ ଶାସନ ବିରୋଧରେ ଦେଶର ପ୍ରଥମ ସଂଗ୍ରାମ।
ପାଇକମାନଙ୍କର ଏହି ସଂଗ୍ରାମକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସିଛି। ସେହିପରି ଏହି ଅବସରରେ ମୁଖ୍ୟମନ୍ତ୍ରୀ ବକ୍ସ ଜଗବନ୍ଧୁଙ୍କ ନାମରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଇବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।