ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ଆଉ ଏକ ପାଦ ଆଗକୁ ଯାଇଛି- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ୧୦ ଏକର ପରିମିତ ଜମି ପ୍ରଦାନ କରିବାକୁ ସମ୍ମତି ପ୍ରଦାନ କରିଥିବାରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାରଙ୍କ ଏହି ସମ୍ମତି ଫଳରେ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣର ପ୍ରସ୍ତୁତି ଆଉ ଗୋଟିଏ ପାଦ ଆଗକୁ ଯାଇଛି ଏବଂ ଏଥିପାଇଁ ଜଣେ ଓଡିଆ ଭାବରେ ସେ ଗର୍ବିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପାଇକ ବିଦ୍ରୋହର  ୨ଶହ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ବଜେଟରେ ବିଶେଷ ବ୍ୟବସ୍ଥା କରାଯାଇଛି। ବ୍ରିଟିଶ ଶାସନ ବିରୋଧରେ ଦେଶର ପ୍ରଥମ ସଙ୍ଗଠିତ ସଶସ୍ତ୍ର ସଂଗ୍ରାମ ପାଇକ ବିଦ୍ରୋହ ଓଡିଶା ମାଟିରୁ ହିଁ ହୋଇଥିଲା। ଏହି ଅନନ୍ୟ ଇତିହାସକୁ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡିଶା ଓ ସାରା ଦେଶର ଯୁବପିଢିଙ୍କ ପ୍ରେରଣାର ଉତ୍ସ କରିବା ପାଇଁ ସ୍ମାରକୀ ନିର୍ମାଣର ପରିକଳ୍ପନା କରାଯାଇଛି। ଓଡିଆ ଜାତିର ବୀରତ୍ୱ ଓ ସ୍ୱାଭିମାନର ଚିହ୍ନ ରୂପରେ ଏହି ସ୍ମାରକୀ ବରୁଣେଈ ପାହାଡ଼ ପାଦଦେଶରେ ଖୁବଶୀଘ୍ର ସମସ୍ତଙ୍କ ସହଯୋଗରେ ନିର୍ମିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ବିଟରରେ ପ୍ରକାଶ କରିଛନ୍ତି।