କରୋନାରେ ପଦ୍ମଶ୍ରୀ ନିର୍ମଳ ସିଂଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଦ୍ମଶ୍ରୀ ତଥା ସ୍ୱର୍ଣ୍ଣ ମନ୍ଦିରର ପୂର୍ବତନ ‘ହଜୁରୀ ରାଗ’ ନିର୍ମଳ ସିଂଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି। ୬୨ ବର୍ଷୀୟ ନିର୍ମଳ ଗତକାଲି କରୋନା ପଜେଟିଭ ଚିହ୍ନଟ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ୨ ଦିନ ତଳେ କରୋନା ଲକ୍ଷଣ ଦେଖାଯିବା ନେଇ ସେ ନିଜେ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିଲେ। କିଛି ଦିନ ପୂର୍ବରୁ ସେ ଇଂଲଣ୍ଡ ଯାତ୍ରା କରିଥିଲେ। ଇଂଲଣ୍ଡରୁ ଫେରିବା ପରେ ଦିଲ୍ଲୀ ଓ ଅନ୍ୟ କେତେକ ସ୍ଥାନରେ ଧାର୍ମିକ ସଭା ଓ ସମ୍ମିଳନୀରେ ସାମିଲ ହୋଇଥିଲେ। ଏତଦବ୍ୟତୀତ ନିଜ ପରିବାର ସଦସ୍ୟ ଓ କେତେକ ସମ୍ପର୍କୀୟଙ୍କ ସହ ମାର୍ଚ୍ଚ ୧୯ରେ ଚଣ୍ଡିଗଡ଼ରେ ମଧ୍ୟ କୀର୍ତ୍ତନ କରିଥିଲେ। ନିର୍ମଳଙ୍କ ଦୁଇ ଝିଅ, ପୁଅ, ବୋହୂ, ଡ୍ରାଇଭର ସମତେ ତାଙ୍କ ସମ୍ପର୍କରେ ଆସିଥିବା ୬ ଜଣଙ୍କୁ ଏବେ ଆଇସୋଲେସନରେ ରଖାଯିବା ସହ କରୋନା ଯାଞ୍ଚ ପାଇଁ ସମସ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି।