ପଦ୍ମଶ୍ରୀ ହଲଧର ନାଗଙ୍କ ସାଧନା କୁଟୀର ଓ ସଂଗ୍ରହାଳୟ ଉଦଘାଟିତ

ବରଗଡ଼,ଏନ୍ଏନ୍ଏସ୍: ସୋହେଲା ବ୍ଲକ୍ ଘେଁସଠାରେ ଲୋକକବି ପଦ୍ମଶ୍ରୀ ହଲଧର ନାଗଙ୍କ ସାଧନା କୁଟୀର ପୁନରୁଦ୍ଧାର ହେବା ସହ ସେଠାରେ ଏକ ସଂଗ୍ରହାଳୟ ଉଦଘାଟିତ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।

ସୂଚନା ଯୋଗ୍ୟ ଯେ, ପଦ୍ମଶ୍ରୀ ହଲଧର ନାଗଙ୍କ ସାଧନା କୁଟୀର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ବରଗଡ଼ର ଡାକ୍ତର ଦମ୍ପତି ରାଜେଶ ତ୍ରିପାଠୀ ଏବଂ ସୁସ୍ମିତା ଦାଶ ଏହାର ପୁନରୁଦ୍ଧାର ପାଇଁ ଆଗଭର ହେବା ସହ ସହାୟତାର ହାତ ବଢ଼ାଇଥିଲେ। ସାଧନା କୁଟୀର ସହ ସଂଗ୍ରହାଳୟ ସମ୍ପୂର୍ଣ୍ଣ ହେବା ପରେ ଆଜି ଏହା ଉଦଘାଟିତ ହୋଇଛି। ଉକ୍ତ ସଂଗ୍ରହାଳୟରେ ପଦ୍ମଶ୍ରୀ ନାଗଙ୍କ ବିଭିନ୍ନ କାବ୍ୟ କବିତାଠାରୁ ଆରମ୍ଭ କରି ତାଙ୍କୁ ସମ୍ମାନିତ କରାଯାଇଥିବା ମାନପତ୍ର ଆଦି ସଂଗୃହୀତ ହୋଇପାରିବ। ଏ ଅବସରରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।