୪ଟି ନିର୍ବାଚନରେ ତିନି ପ୍ରକାର ତଥ୍ୟ, ମନ୍ତ୍ରୀ ପଦ୍ମନାଭଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜନ ପ୍ରତିନିଧି ଆଇନ ୧୯୫୧ ର ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବା ପାଇଁ କୌଣସୀ ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶକ୍ୟତା ନଥିବା ସ୍ଥଳେ ପ୍ରାର୍ଥୀମାନେ ନିଜକୁ ବଡ଼ ଦେଖାଇବା ପାଇଁ ଭୁଲ ତଥ୍ୟ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ଜଣେ ନ୍ୟାୟ ପ୍ରତିଷ୍ଠାତା ଏବଂ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା କିଭଳି ତାଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ବିଷୟରେ ବାରମ୍ବାର ଭୁଲ ଓ ଭିନ୍ନ ଭିନ୍ନ ତଥ୍ୟ ଦେଇଛନ୍ତି ତାକୁ କଂଗ୍ରେସ ପଦାକୁ ଆଣିଛି।

ତଥ୍ୟ ପ୍ରମାଣ ସହିତ ତାହାର ଖୁଲାସା କରିବା ସହ ତୁରନ୍ତ ସମ୍ପୃକ୍ତ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି କଂଗ୍ରେସ ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର। ଗତ ୪ଟି ନିର୍ବାଚନରେ ନାମାଙ୍କନ ଦାଖଲ କରିବା ସମୟରେ ସତ୍ୟପାଠ ମାଧ୍ୟମରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ୩ପ୍ରକାର ତଥ୍ୟ ପ୍ରଦାନ କରିଛନ୍ତି। ୨୦୦୪ ବିଧାନ ସଭା ନିର୍ବାଚନ ଫୁଲବାଣୀ (ସଂରକ୍ଷିତ) ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ମନ୍ତ୍ରୀ ଶ୍ରୀ ବେହେରା ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ସେଥିରେ କହିଥିଲେ ଦଶମ ଶ୍ରେଣୀ ଟି ଆଣ୍ଡ ଅରଡବ୍ଲୁ ହାଇସ୍କୁଲ, କାଠଗଡ଼ କନ୍ଧମାଳରୁ ୧୯୭୨ରେ ପାସ କରିଥିବା ବେଳେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନ ସମୟରେ ବିରମହାରାଜପୁର ସଂରକ୍ଷିତ ଆସନରୁ ନାମାଙ୍କନ ସମୟରେ ୧୯୭୩ ମସିହାରେ ୧୦ମ ପାସକରିଥିଲେ ବୋଲି ଉଲ୍ଲେଖ କରିଥିଲେ। ଯାହା ୨୦୦୪ ମସିହା ତଥ୍ୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ୨୦୧୯ ମସିହା ନିର୍ବାଚନରେ ଦେଇଥିବା ତଥ୍ୟ ମଧ୍ୟ ୨୦୦୪, ୨୦୦୯ ଓ ୨୦୧୪ ମସିହା ନିର୍ବାଚନ ନାମାଙ୍କନ ସମୟରେ ଦେଇଥିବା ତଥ୍ୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଶିକ୍ଷ୍ୟାଗତ ଯୋଗ୍ୟତା ପତ୍ରରେ ହେରଫେର କରିଛନ୍ତି ଯାହାକି ୧୯୫୧ର ଧାରା ୧୨୫(ଏ) ଅନୁଯାୟୀ ଦଣ୍ଡନୀୟ। ସେହିପରି ଭାରତୀୟ ଦଣ୍ଡ ବିଧାନ ଆଇନ ଧାରା ୧୭୧(ଜି) ଅନୁଯାୟୀ ମିଥ୍ୟା ସତ୍ୟପାଠ ଏକ ଦଣ୍ଡନୀୟ ଅପରାଧ।