୬୦ ବର୍ଷ ଧରି ସମାଜ ସେବାକୁ ବ୍ରତି କରିଥିବା ଶାନ୍ତିଦେବୀ ପାଇବେ ପଦ୍ମଶ୍ରୀ ସମ୍ମାନ

ସମ୍ମାନ ପାଇଁ ଖୁସି କିନ୍ତୁ ଉତ୍ସାହିତ ନୁହେଁ , ଏହି ସମ୍ମାନ ଅନାଥ ପିଲାଙ୍କ ପାଇଁ ସହାୟକ ହେବ- ଶାନ୍ତିଦେବୀ

ରାୟଗଡ଼ା,( ମୋନାଲିସା ରଥ ), ଏନଏନଏସ:  ସମାଜସେବୀ ତଥା ଗାନ୍ଧିବାଦୀ ନେତ୍ରୀ ଶାନ୍ତିଦେବୀ ପାଇବେ ପଦ୍ମଶ୍ରୀ ଉପାଧି । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶାନ୍ତି ଦେବୀ  ପୁରସ୍କାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି । ସମାଜସେବା କ୍ଷେତ୍ରରେ ଶାନ୍ତିଦେବୀଙ୍କ ଅବଦାନ କେବଳ ରାୟଗଡ଼ା ଜିଲ୍ଲାରେ ସୀମିତ ରହିନାହିଁ ଏହା ସାରା ଦେଶରେ ଆଜି ଶାନ୍ତି ଦେବୀଙ୍କୁ ପରିଚିତ କରିଛି ।  ଏନେଇ ଦିଲ୍ଲୀରୁ ଏକ ବାର୍ତା ପହଁଚିବା ପରେ ସମଗ୍ର ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି । ତେବେ ନିତିଦିନକୁ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ ସେ କହିଛନ୍ତି ପଦ୍ମଶ୍ରୀ ଭଳି ସମ୍ମାନ ପାଇଥିବାରୁ ଟିକିଏ ଖୁସି ହେବା କଥା ଖୁସିହେଲି କିନ୍ତୁ ଏଥିପାଇଁ ବହୁତ କିଛି ଉତ୍ସାହିତ ନୁହଁ । ଏଭଳି ଏକ ସମ୍ମାନରେ ମୋତେ ଦେଶ ସମ୍ମାନୀତ କରି ଅନାଥ ପିଲାଙ୍କ ପ୍ରତି ଏକ ଉପହାର ବୋଲି  ଶାନ୍ତିଦେବୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଏହି ଖବର ପ୍ରସାରଣ ପରେ ଆମେ ଭେଟିଥିଲୁ ମହିୟସୀ ମହିଳା ଶାନ୍ତି ଦେବୀଙ୍କୁ । ବିବାହ ସମୟରେ ସ୍ୱାମୀଙ୍କ ସର୍ତ ପୁରଣ ସାଙ୍ଗକୁ ଏଠିକା ଲୋକଙ୍କ ସେବା ପାଇଁ ବାଲେଶ୍ୱରରୁ ସେତେବେଳର କୋରାପୁଟ ତଥା ଏବର ରାୟଗଡ଼ାକୁ ମୋତେ ଆସିବାକୁ ପଡ଼ିଥିଲା । ସୂଦୂର ବାଲେଶ୍ୱର ଭଳି ଉପକୂଳ ଇଲାକା ଛାଡି ସନତେବେଳର ଦୁର୍ଗମ ଏବଂ ପଛୁଆ ରାୟଗଡା ଭଳି ଆଦିବାସୀବହୁଳ ଜିଲାକୁ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ । ଭୁଦୀନ ଓ ସତ୍ୟାଗ୍ରହ ଆନ୍ଦୋଳନରେ ନିଜକୁ ଜଣେ ସଂଗ୍ରାମୀ ଭାବେ ସାମିଲ କରିଥିବା ବେଳେ ପରବର୍ତି ମୁହୁର୍ତରେ ଗରୀବ,ଆଦିବାସୀ ଅନାଥ ପିଲା ମାଆ ପାଲଟି ଯାଇଛନ୍ତି ଶାନ୍ତିଦେବୀ । ରାୟଗଡ଼ା ଜିଲ୍ଲା ୧୩୧ ଜଣ ଅନାଥ ଝିଅ ଓ ଗରୀବ ପିଲାଙ୍କୁ ନିଜ ପାଖରେ ରଖି ମା ଭଳି ସେବା ଯତ୍ନ ନେଉଛନ୍ତି ସେ । ଏହି ଅନାଥ ପିଲାଙ୍କ ପାଇଁ ସେ ଜିଲାର ରାୟଗଡା, ଗୁଣପୁର ଓ ପଦ୍ମପୁର ବ୍ଲକର ଜବରଗୁଡା, ନୂଆପଡା ସହରରେ ଗଢ଼ିଛନ୍ତି ଆଶ୍ରମ । ଆଦିବାସୀ ଇଲାକାରେ ଅନାଥ ବେସାହାରା ପିଲାମାନଙ୍କୁ ଖୋଜି ଆଣି ରଖିବା ସହ ସମସ୍ତ ଳାଳନପାଳନ ଦାୟିତ୍ୱ ନେଇଛନ୍ତିି ସେ । ସମାଜରେ ସମ୍ମାନରେ ସହ ବଚିଂବା ପାଇିଁ ପାଠପଢା ସହ ନୀତିଶିକ୍ଷା ମଧ୍ୟ ଦିଅନ୍ତି । ଏପରିକି ଅନେକ ଅନାଥ ଝିଅଙ୍କୁ ନିଜେ ମା ହୋଇ ବାହା ଚୁଡ଼ା କରି ଘର ବସାଇଛନ୍ତି ସେ । ତାଙ୍କ ସଂସ୍କାରରେ ପାଳିତ ଅନେକ ପିଲା  ବିଭିନ୍ନ କର୍ମସସ୍ଥାନରେ ନିୟୋଜିତ ହୋଇ ବେଶ ପ୍ରତିଷ୍ଠିତ ହୋଇପାରିଛନ୍ତି ।

ଭୂଦାନ ଆନ୍ଦୋଳନର ପୁରୋଧା ସ୍ୱର୍ଗତ ଡଃ ରତନ ଦାଶ ଓ ତାଙ୍କ ଧର୍ମପତ୍ମୀ ଶାନ୍ତି ଦାଶ । ଅବିଭକ୍ତ କୋରାପୁଟ ଜିଲାରେ ଜଣେ ସୁନାମଧନ୍ୟ ସେବା ଦମ୍ପତିି ଭାବେ ପରିଚିତ । ଗତକିଛି ବର୍ଷତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜେ ଭାଙ୍ଗି ନଯାଇ ବରଂ ଅନାଥ ପିଲାଙ୍କ ସେବା କରି ନିଜ ଶେଷ ଜିବନ ଏଠାରେ ବିତେଠବାକୁ ପଣ କରିଛନ୍ତି ସେ । ତାଙ୍କ ଏହି ସେବାପାଇଁ ଅନେକ ଜାତୀୟ, ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ମିଳିଛି ଅନେକ ସମ୍ମାନ । ଶାନ୍ତିଦେବୀ ଯମୁନାଲାଲ ବାଜଜ ପୁରସ୍କାର ଠାରୁ ଆରମ୍ଭ କରି ଇମ୍ପା ଫାଉଣ୍ଡେସନ ପକ୍ଷରୁ ସାରାଳା ପୁରସ୍କାର ପର୍ଯ୍ୟନ୍ତ ସେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ସମ୍ମାନ ଅପେକ୍ଷା ଆଦିବାସୀ,ଗରୀବ ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଇବା ହିଁ ତାଙ୍କ ଆତ୍ମସନ୍ତୋଷ ଦେଇଥାଏ ବୋଲି ତାଙ୍କ ସହ ଆଲୋଚନା ରେ ସେ ପ୍ରକାଶ କରିଛନ୍ତି ।
୧୯୩୪ ଏପ୍ରେଲ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ଶାନ୍ତି ଦେବୀ । ୧୯୫୧ ମସିହାରେ ସମାଜସେବୀ ଡ଼.ରତନ ଦାଶଙ୍କ ସହ ବିବାହ ହୋଇଥିଲା । ପିଲାଟି ଦିନରୁ ସମାଜରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର, ଜୁଲୁମ ବିରୁଦ୍ଧରେ ପ୍ରତିବାଦ କରିବା ଥିଲା ଶାନ୍ତି ଦେବୀଙ୍କ ସ୍ୱଭାବ । ସେହି ସମୟରେ ସେ ଗାନ୍ଧିଜୀଙ୍କ ନିତିରେ ପ୍ରଭାବିତ ହୋଇ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିଷ୍ଠିତ ଏବଂ ପରିଚାଳିତ ଗାନ୍ଧି ଆଶ୍ରମରେ ଯୋଗଥିଲେ । ୧୯୫୧ ମସିହାରେ ଅବିଭକ୍ତ କୋରାପୁଟ ଜିଲାରେ ଦେଖା ଦେଇଥିବା ଅକାଳ ମରୁଡି ପ୍ରପଟିତଙ୍କୁ ରିଲିଫ ଯୋଗାଇବା ପାଇଁ ସ୍ୱାମୀ ରତନ ଦାସଙ୍କ ସହିତ ବିବାହର ୪ ମାସ ନପୁରୁଣୁ ଆସି ପହଚିଂ ଥିଲେ ଗୁଣପୁରରେ ସହରରେ । ଏଠାରେ ସାକ୍ଷାତ ହୁଏ ସନ୍ଥ ବିନୋବା ଭାବେଙ୍କ ସହ । ତାପର ଠାରୁ ବଦଳି ଗଲା ତାଙ୍କ ଜୀବନର ଗତିପଥ । ଆଉ ପଛକୁ ଫେରି ପରିଲେନି ସେ । ଏଠାରେ ଅନାଥ ପିଲାଙ୍କ ମା ହୋଇ ଏହି ଆଦିବାସୀ ଅଚଂଳ ପାଲଟିଗଲା ତାଙ୍କର କର୍ମଭୁମିି । ତାପରେ ୧୯୫୨ରେ କୋରାପୁଟରେ ଚାଲିଥିବା ଭୁସତ୍ୟାଗ୍ରହଣ ଆନ୍ଦୋଳନରେ ସାମିଲ ହୋଇ ଆରମ୍ଭ କଲେ ସାହୁକାରମାନଙ୍କ କବଳରେ ଥିବା ଆଦିବାସୀ ମାନଙ୍କ ଜମି ମୁୁକୁଲାଇବା କାର୍ଯ୍ୟ । ତାପରେ ବଲାଙ୍ଗରୀ, କଳାହାଣ୍ଡି ଏବଂ ସମ୍ବଲପୁର ଭୁଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ । ରାୟଗଡା ଜିଲା ଗୋପାଳବାଡି ଠାରେ ମାଳିତ ଦେବୀଙ୍କ ଦ୍ୱାରା ସ୍ଥାପିତ ଆଶ୍ରମରେ ଭୂଦାନ କର୍ମୀଙ୍କୁ ତାଲିମ ପ୍ରଦାନ କଲେ । ଏହି ସମୟରେ ସଙ୍କଳପଦରରେ ଆଜୀବନ କାରାବରଣ ହୋଇଥିବା ୪୦ଜଣ ଆଦିବାସୀଙ୍କୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମୁକ୍ତି ଦିଗରେ ଉଦ୍ୟମ କରିଥିଲେ । ୧୯୬୪ରେ ଆଦିବାସୀଙ୍କ ସହାୟତରେ ପଦ୍ମପୁର ବ୍ଲକସ୍ଥିତ ଜବରଗୁଡା ଠାରେ ଆରମ୍ଭ କଲେ ସେବାସମାଜ । ଏଠାରେ ଅନାଥ, ଗରୀବ ପିଲାଙ୍କୁ ରଖି ଲାଲନପାଳନର ଦାୟିତ୍ୱ ନେଲେ । ଏହି ସବୁକାମରେ ସ୍ୱର୍ଗତ ରତନ ଦାଶଙ୍କୁ ସହଯୋଗ ରହୁଥିଲା । ଦୀର୍ଘ ୬୦ବର୍ଷ ହେଲା ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଛନ୍ତି । ଏଭଳି ମର୍ଯ୍ୟଦାପୂର୍ଣ୍ଣ ସମ୍ମାନ ଏହି ଅଚଂଳର ପ୍ରଥମେ ଅଟେ । ତେଣୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିବାର ଲାଗିଛି । ପରିଣତ ବୟସରେ ଏଭଳି ସମ୍ମାନରେ ସମ୍ମାନୀତ ପାଇ ନିଜର ଖୁସି ଅନୁଭବ କରିବା ସହ ଆଗାମୀ ଦିନରେ ଅନାଥ ପିଲାଙ୍କ ସେବାରେ ଅଧିକା ସମୟ ବିନିଯୋଗ କରିବାକୁ ପ୍ରେରଣା ଯୋଗାଇଛି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।