ମଣ୍ଡିରୁ ଉଠିପାରୁନି ଧାନ, ହତାଶରେ ଚାଷୀକୂଳ

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ଵ୍ଲକ ଚାକୁଣ୍ଡା ଧାନ ମଣ୍ଡିର ହଜାର ହଜାର କୁଇଣ୍ଟାଲ୍ ଧାନ ମଣ୍ଡିରେ ପଡ଼ିରହିଛି। ଚଳିତବର୍ଷ ୭୮୦୦ କୁଇଣ୍ଟାଲ ଧାନକ୍ରୟ ନିମନ୍ତେ ଟାର୍ଗେଟ ରହିଥିବା ବେଳେ ଟାର୍ଗେଟ ସରିଯାଇଥିବାରୁ ଧାନବିକ୍ରି କରୁପାରୁନାହାନ୍ତି ଚାଷୀ। ଅନ୍ୟପକ୍ଷରେ ଖରା ବର୍ଷାରେ ଧାନ ରହି ଏହାର ମାନ ଖରାପ ହେଉଥିବା ଦେଖବାକୁ ମିଳିଛି। ଫଳରେ ଚାଷୀ ଉଚିତ୍ ମାନର ଧାନ ଦେଇ ଏହାର ଉଚିତ ଦର ପାଇବାରେ ଵାଧା ସୃଷ୍ଟି ହେବାରେ ଆଶଙ୍କା ଦେଖାଦେଇଛି।

ଧାନକ୍ରୟ ନିମନ୍ତେ ଟାର୍ଗେଟ ଠିକ୍ ସମୟରେ ନମିଳିବାରୁ ମିଲରମାନେ ଧାନ କିଣିବାକୁ ମୁହଁ ମୋଡୁଛନ୍ତି। ନିୟନ୍ତ୍ରିତ ବଜାର କମିଟି ଗୁଣପୁର ଆନୁକୂଲ୍ୟରେ ଚାକୁଣ୍ଡାଠାରେ ଏକ ଗୋଦାମ ଗୃହ ରହିଥିବା ବେଳେ ଅଧିକ ପରିମାଣ ବଖରା ନଥିବାରୁ ଚାଷୀମାନେ ବାହାରେ ରଖିବା ପାଇଁ ବାଧ୍ୟ ହେଉଛନ୍ତି। ଆଜି ଧାନ ମଣ୍ଡିର ଧାନ କିଣିବାକୁ ଥିବାବେଳେ ମିଲର୍ ଆସିନଥିଲେ। କୌଣସି ସୁତ୍ରରୁ ଖବରପାଇ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜସୁନ୍ଦର ନାୟକ ଓ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ମୁରଲୀ କୃଷ୍ଣ ପହଞ୍ଚି ଥିଲେ।

ସେହିପରି ଉପସ୍ଥିତ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଧାନ ବିକ୍ରି କରିବା ସହିତ ଉଚିତ ମୂଲ୍ୟ ଦେବା ପାଇଁ ଦାବି କରିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ଯେ ଆଜି ସନ୍ଧ୍ୟା ସୁଦ୍ଧା ମଣ୍ଡିରେ ଥିବା ସମସ୍ତ ଧାନ ସ୍ୱତନ୍ତ୍ର ଟାର୍ଗେଟ ଯୋଗେ ବିକ୍ରି କରିବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି।