ପାଚିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ମାଁ ଭଣ୍ଡାର ଘରଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଚିକା ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସଂଘର ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର ଓ ଉପଦେଷ୍ଟା ପ୍ରଭଞ୍ଜନ ତ୍ରିପାଠୀଙ୍କ ସହ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପାଚିକାଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅବଗତ କରିଥିଲେ । ପାଚିକାମାନେ ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା କାମ କରୁଥିଲେ ମଧ୍ୟ ସେମାନଙ୍କୁ ପାରିଶ୍ରମିକ ଭାବେ ମାସକୁ ୧୪ଶହ ଟଙ୍କା ନାମକୁ ମାତ୍ର ବେତନ ହିସାବରେ ଦିଆଯାଉଥିବା ଯୋଗୁ ସଂଘ ତରଫରୁ ସେମାନଙ୍କ ବେତନ ବୃଦ୍ଧି ପାଇଁ ସରକାରଙ୍କ ନିକଟରେ ଦାବୀ ଜଣାଇଛନ୍ତି । ଏହି ନାମକୁ ମାତ୍ର ବେତନରେ ସେମାନେ ନିଜ ପରିବାର ଭରଣପୋଷଣ ସହ ପିଲାଛୁଆଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ଅସମର୍ଥ ହେଉଥିବା ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି । ଅନ୍ୟ ଜିଲ୍ଲାରେ ପାଚିକାଙ୍କ ବେତନ ୬ରୁ ୭ ହଜାର ଟଙ୍କା ଥିବାବେଳେ ନବରଙ୍ଗପୁର ଜିଲ୍ଲାର ପାଚିକାଙ୍କୁ ମାତ୍ର ୧୪ ଶହ ଟଙ୍କା କିଭଳି ଦିଆଯାଉଛି ତାହା ଉଲ୍ଲେଖ କରିଛନ୍ତି । ରୋଷେଇ କାମ ସହ ସ୍କୁଲ ବଗିଚାରେ ପାଣି ଦେବାରେ ମଧ୍ୟ ପାଚିକାଙ୍କୁ ନିୟୋଜିତ କରାଯାଉଥିବା ଯୋଗୁ ସେମାନେ ଉଭୟ ଶାରିରୀକ ଓ ମାନସିକ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁଣି ପାଚିକାଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ବାର୍ଷିକ ଶାଢ଼ୀ ଓ ପୋଷାକ ଖର୍ଚ୍ଚ ନିୟମିତ ଦିଆଯାଉନଥିବାରୁ ଦେବା ପାଇଁ ଅନୁରୋଧ କରାଯାଇଛି । ଜିଲ୍ଲାପାଳ ଏସବୁ ଗୁରୁତ୍ୱର ସହ ବିଚାରକୁ ନେଇ ସରକାରଙ୍କ ନିକଟରେ ସ୍ମାରକ ପତ୍ରଟିକୁ ଉପସ୍ଥାପନ କରିବେ ବୋଲି କହିଛନ୍ତି । ସଂଘର ଅଧ୍ୟକ୍ଷା ଗୁରୁବାରୀ ପୁଜାରୀ, ଉପାଧ୍ୟକ୍ଷା ତିଳୋତ୍ତମା ପୂଜାରୀ, ସମ୍ପାଦିକା ସଞ୍ଜୁଲତା ନାୟକ, ସହସମ୍ପାଦିକା ପଦ୍ମିନୀ ଜାନୀ, କୋଷାଧ୍ୟକ୍ଷା ଲିଲି ସାହୁ, ନନ୍ଦେଇ ଭତରା, ଶୁକ୍ରି ବିନ୍ଧାଣୀ, ବନୀତା ବିଷୋୟୀ ଓ ଡମୁଣୀ ଜାନୀ ପ୍ରମୁଖ ଯୋଗ ଦେଇଥିଲେ ।