ପି. ଚିଦାମ୍ବରମଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ଙ୍କୁ ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି। ଦୀର୍ଘ ୨ ମାସ ଜେଲରେ ରହିବା ପରେ ସିବିଆଇ ପକ୍ଷରୁ ହୋଇଥିବା ମାମଲାରେ ତାଙ୍କୁ ଆଜି ଜାମିନ ମିଳିଛି। କିନ୍ତୁ ଆସନ୍ତା ୨୪ ତାରିଖ ଯାଏଁ ଇଡି ହେପାଜତରେ ରହିବେ। ଇଡି ପକ୍ଷରୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିବା କଷ୍ଟକର ହୋଇପଡିବ।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମଙ୍କୁ ବୁଧବାର ତିହାର ଜେଲରେ ଇଡି ଅଧିକାରୀମାନେ ଜେରା କରିଥିଲେ। ପରେ ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା। ଆଇଏନ୍ଏକ୍ସ ମିଡିଆ ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି। ପିଟର ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦ୍ବାରା ପ୍ରତିଷ୍ଠିତ ଆଇଏନ୍ଏକ୍ସ ମିଡିଆକୁ ଫରେନ୍ ଇନ୍ଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ (ଏଫ୍ଆଇପିବି) ମଂଜୁରି ନେଇ ହୋଇଥିବା ଅନିୟମିତତାରେ ସିବିଆଇ ତଦନ୍ତ କରୁଛି।