ଓଡ଼ିଶାର ୭ଟି ସ୍ଥାନରେ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କରିବ ଏନ୍ଏଚ୍ଏଆଇ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) ପକ୍ଷରୁ ଓଡ଼ିଶାର ୬ଟି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ଠାରେ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କରାଯିବ। ଏହି ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କୋରାପୁଟ ଏବଂ ନୟାଗଡ଼। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବାଲେଶ୍ୱର ୟୁନିଟ୍ ତରଫରୁ ପ୍ରକଳ୍ପଟି ତିଆରି କରାଯିବ। ସେହିପରି ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାରେ ସମ୍ବଲପୁର ୟୁନିଟ୍ ଏବଂ ଗଜପତି ଓ କୋରାପୁଟ ଜିଲ୍ଲାରେ ବ୍ରହ୍ମପୁର ୟୁନିଟ୍ ତରଫରୁ ପ୍ଲାଣ୍ଟ୍ ନିର୍ମାଣ କରାଯିବ। କଟକ ଠାରେ ଭୁବନେଶ୍ୱର ୟୁନିଟ୍ ଏବଂ ନୟାଗଡ଼ ଠାରେ ଢେଙ୍କାନାଳ ୟୁନିଟ୍ ପ୍ରକଳ୍ପଟି ହାତକୁ ନେବେ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଭୁବନେଶ୍ୱର ସ୍ଥିତ ଏନ୍ଏଚ୍ଏଆଇ, ଓଡ଼ିଶା ସିଜିଏମ୍ ରାମ ପ୍ରସାଦ ପଣ୍ଡା ନୂଆଦିଲ୍ଲୀ ମୁଖ୍ୟାଳୟ ସ୍ଥିତ ସିଜିଏମ୍(କୋର୍ଡିନେସନ୍)ଙ୍କୁ ଏନେଇ ଚିଠିରେ ଜଣାଇଛନ୍ତି। ଏହି ପଦକ୍ଷେପ ପାଇଁ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ବିଶେଷ କରି କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରାଯାଇଛି।