ପୁଣି ଥରେ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ପରୀକ୍ଷଣ ଆରମ୍ଭ କରିବାକୁ ଅନୁମତି ଦେଲା ଡିସିଜିଅ‌ାଇ

ନୂଆଦିଲ୍ଲୀ,ଏଜେନ୍ସି: ପୁଣି ଥରେ ସେରମ ଇନଷ୍ଟିଚ୍ୟୁଟକୁ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ପରୀକ୍ଷଣ ଆରମ୍ଭ କରିବା ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ(ଡିସିଜିଅ‌ାଇ) ଅନୁମତି ଦେଇଛି। ସୂଚନା ଅନୁସାରେ ଲଣ୍ଡନରେ ଜଣେ ସ୍ୱେଚ୍ଛାସେବୀଙ୍କ ଶରୀରରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ବିକଶିତ ହୋଇଥିବା କରୋନା ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବା ପରେ ପରୀକ୍ଷଣକୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ସେ‌ପ୍ଟେମ୍ବର ୧୩ରେ ଲଣ୍ଡନରେ ପରୀକ୍ଷଣ ପୁଣି ଥରେ ଆରମ୍ଭ ହୋଇଥିଲା।

ବ୍ରିଟେନର ଔଷଧ ଓ ସ୍ବାସ୍ଥ୍ୟ ନିୟାମକ ସଂସ୍ଥା ମେଡିସିନସ ହେଲ୍ଥ ରେ‌ଗୁଲେଟୋରି ଅଥରିଟି (ଏମଏଚଆରଏ) ପକ୍ଷରୁ ଏଥିପାଇଁ ଅନୁମତି ଦିଆଯିବା ପରେ ଏଜେଡ୍‌ଡି୧୨୨୨ କରୋନା ଟିକାର ପୁନଃ ପରୀକ୍ଷଣ ଆରମ୍ଭ କରାଯାଇଥିଲା। ଏହି ଟିକାର ନୈଦାନିକ ପରୀକ୍ଷଣ ନିରାପଦ ବୋଲି ଏମଏଚଆରଏ ସ୍ପଷ୍ଟ କରିଥିବା ବିଷୟ କମ୍ପାନୀ କହିଥିଲା। ଭାରତରେ କେହି ଅସୁସ୍ଥ ହୋଇ ନଥିବାରୁ ଏହାକୁ ବନ୍ଦ କରାଯିବ ନାହିଁ ବୋଲି କମ୍ପାନୀର ସିଇଓ ଆଦର ପୁନାୱାଲା ପ୍ରଥମେ କହିଥିଲେ। କିନ୍ତୁ ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ଟିକାର ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା।