ଭୁବନେଶ୍ୱର,ଏନ୍ଏନ୍ଏସ୍: ଟେଲିକମ୍ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୬,୫୯୪ଟି ଗାଁ’ରେ ମୋବାଇଲ କନେକ୍ଟିଭିଟିର ଅଭାବ ରହିଛି। ଏ ନେଇ ଯୋଗାଯୋଗ ମନ୍ତ୍ରୀ ସଞ୍ଜୟ ଧୋତ୍ରେ ସଂସଦରେ ପ୍ରମିଳା ବିଶୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଶ୍ରୀ ଧୋତ୍ରେ କହିଛନ୍ତି ଯେ ସେହି ଗ୍ରାମମାନଙ୍କୁ ପର୍ଯ୍ୟାୟକ୍ରମେ ମୋବାଇଲ କଭରେଜ ପ୍ରଦାନ କରାଯାଉଛି। ଏଥିସହ ସେ କହିଛନ୍ତି ଯେ ଏଲଡବ୍ଲୁଇର ପର୍ଯ୍ୟାୟ-୨ରେ ୧୫୮ଟି ଟାୱାର ସଂସ୍ଥାପନ ପାଇଁ ମଞ୍ଜୁର ମିଳିଛି।
ତେବେ ପର୍ଯ୍ୟାୟ-୧ରେ ୨୫୬ଟି ଟାୱାର ସଂସ୍ଥାପନ କରାଯାଇଥିବା ବେଳେ ଗଞ୍ଜାମରେ ୨୨ଟି ଲଗାଯାଇଛି।
ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ବିଏସ୍ଏନ୍ଏଲ୍ ୨ଟି ବେସ୍ ଟ୍ରାନ୍ସସିଭିଅର ଷ୍ଟେସନ(ବିଟିଏସ୍) ସୁରଡା ନିର୍ବାଚନ ମଣ୍ଡଳୀ ଓ ୩ଟି ଆସ୍କା ନିର୍ବାଚନ ମଣ୍ଡଳୀରେ ସଂସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଧୋତ୍ରେ ସୂଚନା ଦେଇଛନ୍ତି। ଏପରିକି ୬୭୯୩ ପଞ୍ଚାୟତରେ ୧୦୦ ଏମବିପିଏସର ବ୍ରଡବ୍ୟାଣ୍ଡ ସେବା ଯୋଗାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩,୬୫,୯୧,୬୬୬ ମୋବାଇଲ କନେକ୍ସନ ଥିବା ସୂଚନା ଦେଇଛନ୍ତି।