କେନ୍ଦୁଝର,ଏନ୍ଏନ୍ଏସ୍: ଡେଲି ମାର୍କେଟରେ ଭୟାଭୟ ଅଗ୍ନିକାଣ୍ଡ । ନିଆଁ ଆଁରେ ଜଳିଗଲା ୫୦ରୁ ଅଧିକ ଦୋକାନ । ଆଜି ସକାଳୁ ନିଆଁ ଲାଗିଯାଇଥିବା ବେଳେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେବେ ନିଆଁର ପ୍ରକୋପ ଅଧିକ ରହିଖିବା ହେତୁ ନିଆଁ ଲିଭା କାର୍ଯ୍ୟରେ ବିଳମ୍ବ ହେଉଛି । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।
ସୂଚନାଅନୁସାରେ, ଆଜି ଭୋରରୁ ଡେଲି ମାର୍କେଟରେ ଥିବା କଂସା ବାସନ ଦୋକାନରୁ ପ୍ରଥମେ ନିଆଁ ଲାଗିଯାଇଥିଲା । ଏହାପରେ ନିଆଁ ପୁରା ମାର୍କେଟକୁ ବ୍ୟାପିଯାଇଥିଲା । ଏହି ମାର୍କେଟରେ ଲୁଗା, ବାସନ, ତେଜରାତି ଆଦି ବିଭିନ୍ନ କିସମର ପ୍ରାୟ ୨୦୦ରୁ ଊର୍ଦ୍ଧ୍ଵ ଉଠା ଓ ସ୍ଥାୟୀ ଦୋକାନ ରହିଛି । ଲୁଗା ତେଜରାତି ଦୋକାନ ରହିଥିବାରୁ ନିଆଁ ବ୍ୟାପିବାରେ ଲାଗିଥିଲା ।
ସ୍ଥାନୀୟ ଲୋକେ ଦେଖି ନିଜ ପ୍ରୟାସରେ ପ୍ରଥମେ ଦୋକାନ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ । ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ଆୟତ୍ତକୁ ଆସିଥିବା ନେଇ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଘଟଣା ଉପରେ ନଜର ରଖିବା ସହ ନିଆଁ ଲିଭା କାର୍ଯ୍ୟ ଶେଷ ପରେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଅଧିକାରୀ । କେନ୍ଦୁଝର ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।