ଚୀନ୍ ମହାକାଶଚାରୀଙ୍କୁ ୧୦୦ ପ୍ରକାର ଖାଦ୍ୟ

ବେଜିଂ,ଏଜେନ୍ସି: ଚୀନ୍ ପ୍ରଥମ ଥର ୩ ଜଣ ମହାକାଶଚାରୀଙ୍କୁ ମହାକାଶସ୍ଥିତ ନିଜର ସ୍ପେସ୍ ଷ୍ଟେସନକୁ ପଠାଇଛି। ଏମାନେ ଗୁରୁବାର ଦୀର୍ଘ ସାତ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନ ତିଆହ୍ନେରେ ପ୍ରବେଶ କରିଥିଲେ। ଆଗାମୀ ତିନି ମାସ ପର୍ଯ୍ୟନ୍ତ ଏମାନେ ସେଠାରେ ଅବସ୍ଥାନ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବେ। ତେବେ ମହାକାଶରେ ରହଣି ସମୟରେ ସେମାନଙ୍କ ପାଇଁ ୧୦୦ ପ୍ରକାର ଖାଦ୍ୟ ପଠାଯାଇଥିବା ଜଣାପଡିଛି। ଗତମାସ ତିଆନଝୌ-୨ ମହାକାଶ ଯାନ ଜରିଆରେ ଚୀନ୍ ୧୬୦ ଟି ଖାଦ୍ୟ ପାର୍ସଲ ସେଠାକୁ ପଠାଇଥିଲା। ଏହି ପାର୍ସଲ ଗୁଡିକର ମୋଟ ଓଜନ ୬.୮ ଟନ୍ ଥିଲା।

ତିନି ମାସ ପର୍ଯ୍ୟନ୍ତ ଖାଦ୍ୟ ପ୍ୟାକେଟ ଗୁଡିକୁ ସତେଜ ରଖିବାକୁ ଏକ ସୁପର ରେଫ୍ରିଜେରେଟର ମଧ୍ୟ ସେଠାକୁ ପଠାଯାଇଛି। ମହାକାଶଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ବ୍ୟତୀତ ସେମାନଙ୍କର ପସନ୍ଦ ଖାଦ୍ୟ ଓ ଡ୍ରାଏ ଫୁଡ୍ ମଧ୍ୟ ଉପଲବ୍ଧ ଥିବା କୁହାଯାଇଛି। ନିଇ ହାଇସେଙ୍ଗ୍, ଲିଉ ବୋମିଙ୍ଗ୍ ଓ ତାଙ୍ଗ୍ ହୋଙ୍ଗବୋ ନାମକ ଏହି ତିନି ମହାକାଶଚାରୀଙ୍କ ପାଇଁ ଉକ୍ତ ସ୍ପେସ୍ ଷ୍ଟେସନରେ ୪.୨ ମିଟର ବ୍ୟାସାର୍ଦ୍ଧର ବାସସ୍ଥାନ ନିରୂପଣ କରାଯାଇଛି। ଏହାକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ସେଗୁଡିକ ହେଲା ୱାର୍କ ଜୋନ୍, ସ୍ଲିପ୍ ଜୋନ୍, ସାନିଟେସନ ଜୋନ୍, ଡାଇନିଂ ଜୋନ୍, ହେଲ୍ଥକେୟାର ଜୋନ୍ ଓ ଏକ୍ସରସାଇଜ୍ ଜୋନ୍। ଏହି ବାସସ୍ଥାନ ଏକ ଟ୍ରେନ୍ର ଓସାରଠାରୁ ବଡ ବୋଲି କୁହାଯାଇଛି।