‘ଆଉଟଲୁକ୍’ରେ ସ୍ଥାନ ପାଇଲେ ସମ୍ବଲପୁରର ଝିଅ ମୋନାଲିସା

ସମ୍ବଲପୁରଏନ୍ଏନ୍ଏସ୍: ଇଂରାଜୀ ପତ୍ରିକା ‘ଆଉଟଲୁକ୍’ର ସଦ୍ୟ ପ୍ରକାଶିତ ସଂସ୍କରଣରେ ସମ୍ବଲପୁରର ଝିଅ ମୋନାଲିସା ପାଢ଼ୀ ସ୍ଥାନ ପାଇଛନ୍ତି। ପତ୍ରିକାରେ ପୋଷଣ ଆହାର ଉପରେ ପ୍ରକାଶ ପାଉଥିବା ଧାରାବାହିକରେ ମୋନାଲିସା ପୃଷ୍ଠା ମଣ୍ଡନ କରିଛନ୍ତି। ନ୍ୟୁଟ୍ରିସନ ଓା୍ୱରିଅର : ଫ୍ରମ ଥିଓରି ଟୁ ପ୍ରାକ୍ଟିକାଲ ମୋନାଲିସା ପାଢୀଜ୍ ପେସେଜ ଟୁ ଓମ୍ୟାନ ୱେଲନେସ- ଶୀର୍ଷକ ପୃଷ୍ଠାରେ ପ୍ରକାଶିତ ଲେଖାକୁ ଭାରତ ସରକାରଙ୍କ ପୋଷଣ ଅଭିଯାନ ପରାମର୍ଶଦାତା ପରିଷଦର ଉପଦେଷ୍ଟା ଆଇଏଏସ ଅଧିକାରୀ ଡ. ଅରବିନ୍ଦ କୁମାର ପାଢ଼ୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ପତ୍ରିକାରେ ଲେଖାଯାଇଛି ଯେ, ସମ୍ବଲପୁରରେ ଜନ୍ମିତ ମୋନାଲିସ ବାୟୋଟେକ୍ନୋଲୋଜିରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଅଷ୍ଟ୍ରେଲିଆରେ ଉଚ୍ଚଶିକ୍ଷା ସହିତ ଡକ୍ଟରାଲ ଡିଗ୍ରୀ ହାସଲ କରିଥିଲେ। ଏହି ସମୟରେ ସେ ଏକ ପ୍ରକଳ୍ପରେ ଗବେଷଣା କରିଥିଲେ। ସେଥିରେ ମୋନାଲିସା ପ୍ରସୂତିଙ୍କ ଖାଦ୍ୟ ଏବଂ ଶିଶୁଙ୍କ ମଧ୍ୟରେ ବୟସ୍କଙ୍କ ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କ ଉପରେ ଅଧ୍ୟୟନ କରିଥିଲେ। ସେହି ଅଧ୍ୟୟନ ବ୍ୟବହାରିକତାକୁ ଆହୁରି ସମ୍ପ୍ରସାରିତ ହୋଇଥିଲା। ଏଥିରେ ସେ କେବଳ ଖୁସି ପାଇନଥିଲେ, ପରୀକ୍ଷାଗାରର କାର୍ଯ୍ୟ ଏବଂ ଗବେଷଣା ସହିତ ଜନଜୀବନ ର ପ୍ରାସଙ୍ଗିକତା ଉନ୍ମୋଚନ କରିଥିଲେ।

ଏହି ବିଶ୍ୱାସ ନେଇ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ଗ୍ରାମାଞ୍ଚଳର ଉନ୍ନତି ଉପରେ ଅଧିକ ପରୀକ୍ଷା ଜାରି ରଖିଲେ। ଏବଂ ଏକ ଫେଲୋସିପ ଉପରେ କାର୍ଯ୍ୟାରମ୍ଭ କରିଥିଲେ। ସମାଜର ସ୍ୱାସ୍ଥ୍ୟଗତ ପ୍ରସଂଗକୁ ଶିକ୍ଷା, ମହିଳାଙ୍କ ପ୍ରତି ଅବହେଳା, ଆର୍ଥିକ ଦୃଷ୍ଟିରୁ ଅନ୍ୟ ଉପରେ ନିର୍ଭରଶୀଳତା ଓ ଅଧିକାର ବାବଦରେ ଅଜ୍ଞତାକୁ ଦୂରରେ ରଖାଯାଇପାରିବ ନାହିଁ ବୋଲି ମୋନାଲିସା ଏହି ଗବେଷଣା ସମୟରେ ହୃଦୟଙ୍ଗମ କରିଥିଲେ।

ରାଜସ୍ଥାନର ତିଲୋନିଆସ୍ଥିତ ବେଆରଫୁଟ କଲେଜରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସମୃଦ୍ଧିି ବିଭାଗର ମୁଖ୍ୟ ଥିବା ମୋନାଲିସା ନିଜ ଟିମ୍ ସହିତ ଦେଶୀ ଦ୍ରବ୍ୟର ଉପଯୋଗ ଓ ଗବେଷଣା ଜରିଆରେ ମହିଳାଙ୍କ ମଧ୍ୟରେ ଦେଖାଦେଉଥିବା କୁପୋଷଣ ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି। ସୀମିତ ସାଧନ ସତ୍ତେ୍ୱ ମହିଳାଙ୍କୁ କୁ-ପୋଷଣର ମୁକାବିଲାର ଶୈଳୀ ବୁଝାଇବା ଓ ଶିକ୍ଷା ଆହରଣ କରାଇବା, ସେମାନଙ୍କ ଯତ୍ନ ନେଇ ନିଜେ ସ୍ୱାବଲମ୍ବୀ କରିବା ପ୍ରକୃତ ଆହ୍ୱାନ ଅଟେ ବୋଲି ସେ ତୃଣମୂଳସ୍ତରରେ ଆବଶ୍ୟକତା ରହିଥିବା କହିଛନ୍ତି।

ତାଙ୍କ ଟିମ୍ ଗ୍ରାମୀଣ ଇଲାକାରେ ଖାଦ୍ୟର ଅଭ୍ୟାସ ନେଇ ସରଳ, ବ୍ୟବହାରିକ ଏବଂ ବାର୍ତ୍ତା ବିନିମୟ ମାଧ୍ୟମରେ ସଚେତନତା ସୃଷ୍ଟିରେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତିତ ମହିଳାଙ୍କ ମଧ୍ୟରେ ଦେଖା ଦେଉଥିବା ଆନିମିଆର ଉଚିତ ସମୟରେ ଚିହ୍ନଟ ଓ ଚିକିତ୍ସା ପାଇଁ ଉଦ୍ୟମ କରାଯାଉଛି। ଏପରିିକି ମହିଳା ମାନଙ୍କୁ ସେମାନଙ୍କ ସମାଜ ଭିତରେ ପୋଷଣ ସମ୍ପର୍କରେ ତାଲିମ ପ୍ରଦାନ କରାଯାଉଥିବା ନିଜେ ଲୋକନୃତ୍ୟ କଳାକାର ଥିବା ମୋନାଲିସା କହିଛନ୍ତି। ସୂଚନାଯୋଗ୍ୟ ଯେ, ମୋନାଲିସା ସମ୍ବଲପୁର ସହର ନାରୀସେବା ସଦନ ନିକଟ ବାସିନ୍ଦା ଅବସରପ୍ରାପ୍ତ ଷ୍ଟେଟବ୍ୟାଙ୍କ କର୍ମଚାରୀ ଶଶୀଭୂଷଣ ପାଢୀ ଏବଂ ବିଏସ୍ଏନ୍ଏଲ୍ କର୍ମଚାରୀ ଜେ. ଗିରିଜା ଦେବୀଙ୍କ ଝିଅ ଅଟନ୍ତି।