ଭୁବନେଶ୍ୱର,ଏନ୍ଏନ୍ଏସ୍; ଆଚାର୍ଯ୍ୟ ବିହାରସ୍ଥିତ ୫ ଏକର ସ୍ଥାନରେ ଥିବା ପଠାଣି ସାମନ୍ତ ପ୍ଲାନେଟାରିୟମର ରୂପରେଖ ବଦଳିବାକୁ ଯାଉଛି। ଏନେଇ ଗତ ଡ଼ିସେମ୍ବର ଯୋଜନା କରାଯାଇଥିଲେ ମଧ୍ୟ କାଗଜପତ୍ରରେ ଅଟକିଛି ପୁର୍ନନିର୍ମାଣ କାର୍ଯ୍ୟ। ଖୁବ୍ଶୀଘ୍ର ଏହି କାର୍ଯ୍ୟସମାପ୍ତ ହେବା ସହ ମାର୍ଚ୍ଚମାସ ପୂର୍ବର୍ରୁ ପୁନଃନିର୍ମାଣ କାର୍ଯ୍ୟର ଆରମ୍ଭ ହେବ ବୋଲି ଅନୁଷ୍ଠାନର ଜଣେ ଉଚ୍ଚପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି।
୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ। ଅଟୋମେକାନିକାଲ ମାଧ୍ୟମରେ ଚାଲିଥିଲା ଶୋ। ୨୦୧୨ ମସିହାରେ ଏହାର ଡିଜିଟାଲାଇଜେସନ କରାଯାଇଥିବାବେଳେ ବର୍ତ୍ତମାନ ୪କେ ଟୁଡ଼ିରେ ସମସ୍ତ ଶୋ’ ଦେଖିବାକୁ ମିଳୁଛି। ଦୀର୍ଘ ବର୍ଷ ପରେ ପୁଣି ପରିବର୍ତ୍ତନ ହେବାକୁ ଯାଉଛି ପ୍ଲାନେଟରୀୟମ। ନବୀକରଣ ହେଲେ ୮କେ ଥ୍ରୀ ଡ଼ିରେ ଏହି ଶୋ’ ଚାଲିବ। ଏହା ସାଙ୍ଗକୁ ସ୍ପେସ୍ ସିମୁଲେଟର, ଥ୍ରୀ ଡ଼ି ଥିଏଟର, ଆର୍ଥ ଗ୍ୟାଲେରୀ ରହିବ।
ଇଣ୍ଟରଆକ୍ଟିଭ ମଡେଲ ସହ ପ୍ରଦର୍ଶନୀ ଦେଖିବାକୁ ମିଳିବ। ପ୍ଲାେନେଟାରିୟମର ଉନ୍ନତିକରଣ ପାଇଁ ୪୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସପ୍ତାହର ୬ଦିନ ଖୋଲା ରହୁଥିବା ଏହି ପ୍ଲାନେଟାରିୟମରେ ଏକାକାଳୀନ ୧୭୮ ଦର୍ଶକଙ୍କୁ ନେଇ ଶୋ’ ଚାଲୁଥିବାବେଳେ ପୁନଃନିର୍ମାଣ ପରେ ମଧ୍ୟ ସିଟ୍ ସଂଖ୍ୟା ଅପରିବର୍ତ୍ତିତ ରହିବ। ସେହିପରି ମହାକାଶୀୟ ଉଦ୍ୟାନରେ ପ୍ରାୟ ୫୦ଟି ବିଜ୍ଞାନ ସମ୍ବନ୍ଧିତ ନମୁନା ପ୍ରଦର୍ଶିତ ହେବ। ଅନ୍ୟପଟେ ୨୦୦୬ରୁ ଆରମ୍ଭ ହୋଇଥିବା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ବନ୍ଦ ରହିଥିବାବେଳେ ଏହାର ମଧ୍ୟ ପୁନରୁଦ୍ଧାର କରାଯିବ ବୋଲି ସୂଚନା ମିଳିଛି।
ପ୍ରାରମ୍ଭିକ ଭାବେ ଏଥିରେ କଳିଙ୍ଗ ଯୁଦ୍ଧ ଓ ଓଡ଼ିଶା ଇତିହାସ ସମ୍ପର୍କରେ ତଥ୍ୟ ପ୍ରଦର୍ଶନ କରାଯାଉଥିବାବେଳେ ଥ୍ରିଡ଼ୀ ମୋଡ଼ରେ ପୁଣିଥରେ ବିଭିନ୍ନ ତଥ୍ୟ ପ୍ରଦର୍ଶିତ ହେବାର ଯୋଜନା ରହିଛି। ପ୍ରାୟୋଜିତ ପ୍ରକଳ୍ପରେ ଆବଶ୍ୟକ ପଡ଼ିଲେ ସାମାନ୍ୟ ପରିବର୍ତ୍ତନ ମଧ୍ୟ କରାଯାଇପାରେ ବୋଲି ସଂପୃକ୍ତ ଅଧିକାରୀ ଜଣାଇଛନ୍ତି।