ବେଜିଂ,ଏଜେନ୍ସି : କରୋନା ଭୂତାଣୁ ସଂକ୍ରମଣର ଉତ୍ପତ୍ତିସ୍ଥଳ ଚୀନରେ ରୋଗର ପ୍ରକୋପ କମିବାରେ ଲାଗିଛି। ସବୁଠାରୁ ଅଧିକ ପ୍ରଭାବିତ ହୁବେଇ ପ୍ରଦେଶରେ କ୍ରମାଗତ ୧୧ ଦିନ ଧରି ଜଣେ ହେଲେ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ହୁବେଇ ପ୍ରଦେଶର ରାଜଧାନୀ ୟୁହାନରେ ମଧ୍ୟ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଅନ୍ୟ ପ୍ରଦେଶଗୁଡ଼ିକରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଇତିମଧ୍ୟରେ ଚୀନର ଜିନଜିଆଙ୍ଗ, କୁଇଙ୍ଗହାଇ ଏବଂ ଦକ୍ଷିଣ-ପଶ୍ଚିମ ଚୀନର ଗୁଇଝାଓ ପ୍ରଦେଶରେ ଶିକ୍ଷାନୁଷ୍ଠାନଗୁଡ଼ିକ ସୋମବାର ଠାରୁ ଖୋଲିବା ଦେଖାଯାଇଛି। ତଥାପି ସମସ୍ତଙ୍କ ମନରୁ ସଂକ୍ରମଣର ଆଶଙ୍କା ସମ୍ପୂର୍ଣ୍ଣ ରୂପେ ଦୂର ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀ ମଧ୍ୟଭାଗରେ ଚୀନରେ କୋଭିଡ-୧୯ର ସଂକ୍ରମଣ ଆରମ୍ଭ ହୋଇଥିଲା। ଜାନୁଆରୀ ତୃତୀୟ ସପ୍ତାହରୁ ଏପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ରିପୋର୍ଟ ଅନୁଯାୟୀ, ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସଂକ୍ରମଣ ହାର କମ୍ ଥିବାରୁ ଚୀନ୍ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଇତିମଧ୍ୟରେ ଚୀନରେ ନଭେଲ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୩,୨୧୩କୁ ବୃଦ୍ଧି ପାଇଛି। ବିଦେଶୀ ନାଗରିକଙ୍କ ଆଗମନ ଉପରେ ସରକାର ରୋକ୍ ଲଗାଇଛନ୍ତି। ଦେଶରେ ସଂକ୍ରମଣ କମୁଥିଲାବେଳେ ବିଦେଶୀ ନାଗରିକଙ୍କ ଦ୍ୱାରା ସାନି ସଂକ୍ରମଣର ଆଶଙ୍କା ଥିବାରୁ ସରକାର ଏଭଳି କଟକଣା ଜାରି କରିଛନ୍ତି। କେବଳ ସେତିକି ନୁହେଁ, ଯେଉଁ ବିଦେଶୀ ନାଗରିକମାନେ ପୁଣି ଚୀନକୁ ଫେରୁଛନ୍ତି ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଉଛି।