ଡାହାଣୀ ଭୟରେ ଗାଁ ବାହାରେ ଗୁଣ୍ଡରାବାଡ଼ି ବାସୀ, ବିବାହ କଲେ ରକ୍ତବାନ୍ତିରେ ହେଉଛି ମୃତ୍ୟୁ

ନୟାଗଡ଼,ଏନ୍‌ଏନ୍‌ଏସ୍: ବିଜ୍ଞାନକୁ ନେଇ କାହିଁ କେତେ ଆଗରେ ପହଞ୍ଚିଥିବା ଆମ ଦେଶରେ ଏବେ ବି ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି ଲୋକେ। ବିବାହ କରିବା ପରେ ଯୁବକଙ୍କ ରକ୍ତବାନ୍ତିରେ ମୃତ୍ୟୁ ଘଟୁଥିବା କାରଣ ପାଇଁ ଗାଁ ଛାଡ଼ି ଦେଇଛନ୍ତି ଗୁଣ୍ଡରାବାଡ଼ି ଗ୍ରାମବାସୀ। ସୂଚନାନୁସାରେ, ରଣପୁର ବ୍ଲକ ଗୁଣ୍ଡରାବାଡ଼ି ଗାଁରେ ରହଛି ସମସ୍ତ ପ୍ରକାର ସୁବିଧା। ଲୋକଙ୍କୁ ମିଳିଛି ଇନ୍ଦିରା ଆବସ, ପିଇବା ପାଣି ପାଇଁ ରହିଛି ଟ୍ୟୁବ୍ ୱେଲ୍‌, ଗାଁ ରାସ୍ତା ମଧ୍ୟ ଚକାଚକ୍। ଏଥି ସହିତ ଗାଁକୁ ବିଜୁଳି ସଂଯୋଗ ମଧ୍ୟ ରହିଛି। ଦର୍ପନାରାୟଣପୁର ସୁନାଖଳା ରାସ୍ତାରୁ ଅଳ୍ପକେଇ ଦୂରରେ ରହିଥିବା ଏହି ଗାଁରେ କାହିଁ କେଉଁ କାଳରୁ ଲୋକେ ବାସ କରୁଥିଲେ। ମାତ୍ର ଗ୍ରାମବାସୀ ଏବେ ସେମାନଙ୍କ ଗାଁର ଭିଟାମାଟି ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି।

୨୦୧୫-୧୬ ମସିହାରେ ମିଳିଥିବା ଇନ୍ଦିରା ଆବସ ଘରର ଦୁଆର ଛରକା ମଧ୍ୟ ଗାଁ ଲୋକେ ତାଡ଼ି ନେଇଛନ୍ତି। ଫାଙ୍କା ପଡ଼ିଥିବା ଘର ଗୁଡ଼ିକରେ ଝୁଲୁଛି ମନ୍ତ୍ରତନ୍ତ୍ରର ବୁଜୁଳି। ଏହି ଗ୍ରାମବାସୀ ଗାଁ ଛାଡ଼ି ବାହାରେ ରହିବାର କାରଣ ପାଲଟିଛି ଡାହାଣୀର ଭୟ। ଅନେକ ଦିନ ହେବ ଗାଁରେ ଡାହାଣୀର ଭୟ ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ଗାଁରେ ବିବାହ କରୁଥିବା ଯୁବକମାନେ କିଛିଦିନ ମଧ୍ୟରେ ରକ୍ତବାନ୍ତିରେ ମୃତ୍ୟୁ ବରଣ କରୁଛନ୍ତି।

ଏ ନେଇ ଡାକ୍ତର କି ଗୁଣିଆ କେହି ସେମାନଙ୍କୁ ଭଲ କରି ପାରୁନାହାନ୍ତି। ରକ୍ତବାନ୍ତି କରୁଥିବା ଯୁବକମାନଙ୍କୁ ଡାକ୍ତରଖାନା ନିଆଗଲେ ମଧ୍ୟ କାହାର ଜୀବନ ବଞ୍ଚାଇ ହେଉନଥିବା ଗ୍ରାମର ଛବି ନାୟକ ଓ ଗଦାଧର ନାୟକ କହିଛନ୍ତି। ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଗାଁ ଛାଡ଼ି ଏବେ ଦର୍ପନାରାୟଣପୁର ନିକଟରେ ରହୁଥିବା ଜଣାଯାଇଛି। ଏପରିକି ଗାଁର ଅନ୍ୟଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ, ଗାଁରେ ଅସ୍ୱାଭାବିକ ମୃତ୍ୟୁ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। କିଛିବର୍ଷ ମଧ୍ୟରେ ଗ୍ରାମରୁ ୭ରୁ ଊର୍ଦ୍ଧ୍ୱ ଲୋକଙ୍କ ଏଭଳି ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ଗାଁ ଲୋକେ କହିଛନ୍ତି। ଯାହାକୁ ନେଇ ଗାଁରେ ରହୁଥିବା ୭ରୁ ଊର୍ଦ୍ଧ୍ୱ ପରିବାର ଏବେ ଦର୍ପନାରାୟଣପୁରରେ ଆଶ୍ରୟ ନେଇଛନ୍ତି।

ଦର୍ପନାରାୟଣପୁର ଗ୍ରାମର ଜୟକୃଷ୍ଣ ନାୟକ ଏହି ଗାଁ ଲୋକଙ୍କୁ ଆଶ୍ରୟ ଦେଇଥିବା ଜଣାଯାଇଛି। ତେବେ ୭ରୁ ଊର୍ଦ୍ଧ୍ୱ ପରିବାର ନିଜ ଭିଟାମାଟି ଛାଡ଼ି ଛୋଟ ଛୋଟ କୋଠରୀରେ ଆଶ୍ରୟ ନେଇଛନ୍ତି। ଘର ପଛେ ଯାହା ହେଉ, ଜୀବନ ବଞ୍ଚିଥାଉ ନ୍ୟାୟରେ ଗାଁ ଲୋକେ ଏହି ନୀତି ଆପଣାଇଥିବା ବେଳେ ଏନେଇ ପ୍ରଶାସନ ପାଖରେ କୌଣସି ଖବର ନାହିିଁ। ଏହି ଗ୍ରାମବାସୀଙ୍କ ପାଇଁ ପ୍ରଶାସନ ଏବେ କୌଣସି ପ୍ରକାର ସୁବିଧା କରିନଥିବା ଜଣାଯାଇଛି। ଯାହାକୁ ନେଇ ଗ୍ରାମବାସୀ ଅତି ଦୟନୀୟ ସ୍ଥିତିରେ ରହିଥିବା ବେଳେ ପ୍ରଶାସନ କିଛି ବ୍ୟବସ୍ଥା ଆପଣାଇବା ପାଇଁ ସେମାନେ ଦାବି କରିଛନ୍ତି। ଜିଲ୍ଲାରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖା ଯାଇଥିବା ବେଳେ ପ୍ରଶାସନ କି ବ୍ୟବସ୍ଥା ଗ୍ରହଣ କରିବ ତାହା ଦେଖିବାକୁ ଜିଲ୍ଲାବାସୀ ଚାହିଁ ରହିଛନ୍ତି।