ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଆମର ମୁଖ୍ୟ ଲକ୍ଷ୍ୟ

ଓଡ଼ିଶାରେ ୟୁଏସ୍ଏଫବିଏଲ୍ର ନୂତନ ଶାଖା ଉନ୍ମୋଚନ ଘୋଷଣା ଅବସରରେ ଏହାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ସିଂଙ୍କୁ ଭେଟିଥିଲେ ଆମ ପ୍ରତିନିଧି ଏସ୍ . ଶ୍ରୀକାନ୍ତ। ୟୁଏସ୍ଏଫବିଏଲ୍ର କାର୍ଯ୍ୟଶୈଳୀ ଏବଂ ଗ୍ରାହକ ସେବା କ୍ଷେତ୍ରରେ ରହିଥିବା ବ୍ୟାଙ୍କର ସ୍ୱତନ୍ତ୍ର ଆଭିମୁଖ୍ୟ ସମ୍ପର୍କରେ ତାଙ୍କ ସହ ହୋଇଥିବା ବିଶେଷ ଆଲୋଚନାର କିୟଦଂଶ……

ପ୍ର: ଓଡ଼ିଶାରେ ସେବା ଆରମ୍ଭ କରିବା ପୂର୍ବରୁ ବିଗତ କିଛି ବର୍ଷ ଧରି ୟୁଏସ୍ଏଫବିଏଲ୍ ଉତ୍ତରପ୍ରଦେଶ ଏବଂ ବିହାର ଭଳି ରାଜ୍ୟରେ କାର୍ଯ୍ୟ କରିଆସିଛି। ସେଠାରେ ବ୍ୟାଙ୍କର ଉତ୍କର୍ଷତା ଏବଂ ସଫଳତା ସମ୍ପର୍କରେ କ’ଣ କହିବେ?
ଉ: ଦେଖନ୍ତୁ, ଆମେ ଯେଉଁ ଲକ୍ଷ୍ୟ ଏବଂ ଆଦର୍ଶ ନେଇ ବ୍ୟାଙ୍କିଙ୍ଗ ସେବା ଆରମ୍ଭ କରିଥିଲୁ ତାହା ଆଜି ସଫଳତାର ଅନେକ ସୋପାନ ଅତିକ୍ରମ କରିଛି। ବିହାର ଏବଂ ଉତ୍ତରପ୍ରଦେଶରେ ଆମେ ଶତପ୍ରତିଶତ ସଫଳତା ହାସଲ କରିପାରିଛୁ। ଯେଉଁଥିପାଇଁ ଭାରତର ଅନ୍ୟ କେତେକ ରାଜ୍ୟ ସମେତ ଓଡ଼ିଶା ଭଳି ରାଜ୍ୟରେ ଆମର ସେବା ସଂପ୍ରସାରିତ କରିବାକୁ ସୁଯୋଗ ପାଇଛୁ।

 

ପ୍ର: ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ୟୁଏସ୍ଏଫବିଏଲ୍ର ସ୍ୱତନ୍ତ୍ରତା କ’ଣ ରହିଛି ଏବଂ କେଉଁଥିପାଇଁ ଗ୍ରାହକମାନେ ଏହି ବ୍ୟାଙ୍କ ପାଇଁ ଆଗ୍ରହୀ ହେବେ ବୋଲି ଆପଣ ଅନୁଭବ କରୁଛନ୍ତି?
ଉ: ସାଧାରଣ ବ୍ୟାଙ୍କିଙ୍ଗ ସେବା ତୁଳନାରେ ଆମେ ଗ୍ରାହକମାନଙ୍କ ଚାହିଦାକୁ ସ୍ୱତନ୍ତ୍ର ଦୃଷ୍ଟିରେ ଦେଖିବା ଏବଂ ସେମାନଙ୍କ ଚାହିଦା ଅନୁଯାୟୀ ତାହାକୁ ପୂରଣ କରିବା ହିଁ ଆମର ସ୍ୱତନ୍ତ୍ରତା। ବିଶେଷକରି ଆମ ସେବା ପରିସର ମଧ୍ୟରେ ରହିଥିବା ଏକ ସବିଶେଷ ଶ୍ରେଣୀର ଗ୍ରାହକମାନଙ୍କୁ ଯଦି ଆମେ ଉପଯୁକ୍ତ ସେବା ଯୋଗାଇ ଦେଇ ସେମାନଙ୍କ ଚାହିଦା ପୂରଣ କରିବାକୁ ସକ୍ଷମ ହେବୁ , ତେବେ ଗ୍ରାହକମାନେ ଆମ ପ୍ରତି ଆଗ୍ରହୀ ହେବେ ନାହିଁ କାହିଁକି?

 

ପ୍ର: ସାଧାରଣ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ତୁଳନାରେ ଋଣ ପ୍ରଦାନ କ୍ଷେତ୍ରରେ ୟୁଏସ୍ଏଫବିଏଲ୍ର ଭୂମିକା କିଭଳି ରହିବ?
ଉ: ଦେଖନ୍ତୁ, ସାଧାରଣ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସବୁ କ୍ଷେତ୍ରରେ ଜଣେ ଉଦ୍ୟୋଗୀ କିମ୍ବା ଜଣେ ବ୍ୟବସାୟୀଙ୍କ ପାଇଁ ଋଣ ପାଇବାର ଅନେକ ବିକଳ୍ପ ରହିଛି। ଆମେ ମଧ୍ୟ ବ୍ୟବସାୟିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଭଳି ସେବା ଆରମ୍ଭ କରିଛୁ , ଯାହାର ଉଦାହରଣ ହେଉଛି ଆମର ପ୍ରଥମ ଜେନେରାଲ ବ୍ୟାଙ୍କିଙ୍ଗ ଆଉଟ୍ଲେଟ୍ ଶାଖା ଭୁବନେଶ୍ୱର। ତେବେ ଆମର ପ୍ରମୁଖତା ହେଉଛି ଗ୍ରାହକଙ୍କ ଚାହିଦା ଏବଂ ଔଦ୍ୟୋଗିକ ଆବଶ୍ୟକତାକୁ ଦେଖି ତାହାକୁ ପୂରଣ କରିବା। ବିଶେଷକରି ଜଣଙ୍କ ଆର୍ଥିକ ଚାହିଦାକୁ ପୂରଣ କରି ସ୍ୱାବଲମ୍ବୀ କରିବା ହିଁ ଆମର ମୂଳ ଲକ୍ଷ୍ୟ ଏବଂ ଏହାକୁ ଆମର ସବୁଠାରୁ ବଡ଼ ସାମର୍ଥ୍ୟ ବୋଲି କୁହାଯାଇପାରେ।

ପ୍ର: ବ୍ୟାଙ୍କର ସେବା ଏବଂ ଆନୁଷଙ୍ଗିକ ବ୍ୟବସ୍ଥାକୁ ନେଇ କ’ଣ କହିବେ?
ଉ: ଯେକୌଣସି ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଭଳି ଆମେ ସମସ୍ତ ଗ୍ରାହକଙ୍କୁ ଜମା, ସ୍ଥାୟୀ ଏବଂ ସ୍ୱଳ୍ପ ମିଆଦୀ ଜମା ବ୍ୟବସ୍ଥାରେ ସେବା ଯୋଗାଇ ଦେବୁ। ସାଧାରଣ ସଞ୍ଚୟ ଜମାରେ ସର୍ବାଧିକ ୭% ଏବଂ ସ୍ଥାୟୀ ଜମାରେ ସାଧାରଣ ଗ୍ରାହକଙ୍କୁ ୯% ଏବଂ ବରିଷ୍ଠ ନାଗରିକମାନଙ୍କୁ ୯.୫% ହାରରେ ସୁଧ ଦେବାକୁ ଆମର ବ୍ୟବସ୍ଥା ରହିଛି।

ପ୍ର: ଓଡ଼ିଶା ପ୍ରତି ବ୍ୟାଙ୍କର କିଛି ସ୍ୱତନ୍ତ୍ର ଆଭିମୁଖ୍ୟ ରହିଛି କି?
ଉ: ହଁ, ଆମେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳକୁ ସର୍ବାଧିକ ଗୁରୁତ୍ୱ ଦେବୁ। କାରଣ ଗ୍ରାମାଞ୍ଚଳରେ ଲୋକମାନଙ୍କ ଆବଶ୍ୟକତାକୁ ପୂରଣ କରିବାରେ କିଛିଟା ସମସ୍ୟା ରହିଛି। କିନ୍ତୁ ସେମାନଙ୍କ ନିକଟକୁ ଯାଇ ଯୋଗସୂତ୍ର ରକ୍ଷା କରିବା ସହ ସେମାନଙ୍କ ଆବଶ୍ୟକତା ପୂରଣ କରିବାରେ ୟୁଏସ୍ଏଫବିଏଲ ଅଗ୍ରାଧିକାର ଦେବ। ଏହାଛଡ଼ା ଓଡ଼ିଶାର ଅପହଞ୍ଚ ଇଲାକାରେ ମଧ୍ୟ ଆମେ ଆମର ସେବା ଉପଲବ୍ଧ କରିବାକୁ ପ୍ରତିଶ୍ରୁତିବଦ୍ଧ।