ଟ୍ୱିନ ସିଟିକୁ ଅନ୍ୟ ଜିଲ୍ଲା କୋଭିଡ ଆକ୍ରାନ୍ତ ଚିକିତ୍ସା ପାଇଁ ଆସିବା ମନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର-କଟକକୁ ଅନ୍ୟ ଜିଲ୍ଲାର କୋଭିଡ ରୋଗୀ ଚିକିତ୍ସା ପାଇଁ ଆସିପାରିବେନି। ଏହି ୨ ସହରର ବିଭିନ୍ନ କୋଭିଡ ହସ୍ପିଟାଲରେ ମାତ୍ରାଧିକ ରୋଗୀ ସଂଖ୍ୟା ହ୍ରାସ ଲାଗି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏମିତିକି ନିଜ ନିଜ ଅଞ୍ଚଳରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ସୁଦୃଢ଼ କରିବାକୁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର।

ସ୍ୱାସ୍ଥ୍ୟ ବିଭାଗର ଚିଠି ଅନୁସାରେ କ୍ରିଟିକାଲ କେୟାର ଆବଶ୍ୟକ ଥିବା କୋଭିଡ ଆକ୍ରାନ୍ତଙ୍କୁ କଟକ ଓ ଭୁବନେଶ୍ୱର ସ୍ଥାନାନ୍ତର କରାଯିବା ପୂର୍ବରୁ ପ୍ରଥମେ ଜିଲ୍ଲା ସ୍ତରରେ ଆଇସିୟୁ କିମ୍ବା ଏଚଡିୟୁରେ ଚିକିତ୍ସା ଦିଆଯାଉ। ଏଥିପାଇଁ ତଳସ୍ତର ଓ ଜିଲ୍ଲା ସ୍ତରର ହସ୍ପିଟାଲ ଗୁଡ଼ିକରେ ଅଧିକ ପ୍ରଶିକ୍ଷଣ ଦିଆଯିବା ଦରକାର। ସେହିପରି ସମସ୍ତ କୋଭିଡ ହସ୍ପିଟାଲରେ ନନ ଇନଭାସିଭ କେୟାର ଏଚଏଫଏନସି ପ୍ରସ୍ତୁତ କରିବାକୁ କୁହାଯାଇଛି। ମଧ୍ୟମ ଗୁରୁତର ରୋଗୀଙ୍କୁ ରେମଡେସିଭିର ଦେବାକୁ କୁହାଯାଇଛି।

ସେହିପରି ଆଇସିୟୁରେ ଭିଡ କମାଇବାକୁ ହେଲେ ଗୁରୁତର ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଲେ ତୁରନ୍ତ ତାଙ୍କୁ ସେମି ଆଇସିୟୁକୁ ସ୍ଥାନାନ୍ତର କରାଯିବା ଦରକାର। ଏଥିସହିତ ସମସ୍ତ କୋଭିଡ ହସ୍ପିଟାଲ ଅଧିକ ସଂଖ୍ୟକ ଡାଇଲିସିସ ପ୍ରସୂତି ଓ ଟ୍ରମା ଶଯ୍ୟା ପ୍ରସ୍ତୁତି କରିବା ସହିତ ଦୁର୍ଗମ ଅଞ୍ଚଳର ହସ୍ପିଟାଲରେ ଭର୍ଚ୍ଚୁଆଲ ଆଇସିୟୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କମ ରୋଗୀ ଥିବା ଜିଲ୍ଲା ମାନଙ୍କରୁ ଅଧିକ ରୋଗୀ ଥିବା ଜିଲ୍ଲାକୁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।