ଓଟିଇଟି ପିଛା ଛାଡୁନି ବିବାଦ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଟିଇଟିର ପିଛା ଛାଡୁନି ବିବାଦ। ଅଗଷ୍ଟରେ ହୋଇଥିବା ଅନଲାଇନ ପରୀକ୍ଷାରେ ଆନ୍ସର କି’ରେ ବ୍ୟାପକ ତ୍ରୁଟି ଥିବା ପରିଲକ୍ଷିତ ହୋଇଛି। ଯାହାକୁ ନେଇ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହାର ସୁଧାର ନହେଲେ ବିବାଦ ଆଗକୁ ତୀବ୍ରତର ହେବ ବୋଲି ଓଟିଇଟି ଆସୋସିଏସନର ଆବାହକ ଦିନବନ୍ଧୁ ପତି ଚେତାବନୀ ଦେଇଛନ୍ତି। ସେହିପରି ପ୍ରଶ୍ନ ପିଛା ପରୀକ୍ଷାର୍ଥୀଙ୍କ ଚ୍ୟାଲେଞ୍ଜ ଲାଗି ୫୦୦ଟଙ୍କା ଫି’ ଧାର୍ଯ୍ୟ ହୋଇଥିବା ବେଳେ ଆନ୍ସର କି ବା ଉତ୍ତର ଖାତାକୁ ପୂର୍ବରୁ ପ୍ରକାଶ ନକରି ଦୁର୍ଗାପୂଜା ଛୁଟିରେ ପ୍ରକାଶ କରିବା ପଛରେ କି ରହସ୍ୟ ରହିଛି ତାକୁ ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତେବେ ଏପରି ଅବ୍ୟବସ୍ଥା ଲାଗି ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ସ୍କୁଲ ଓ ଗଣଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ ନକରିବା ଏକ ପ୍ରକାର ଦୁର୍ନୀତିକୁ ପ୍ରୋତ୍ସାହନ ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି।

ଏଭଳି ସମସ୍ୟା ସମ୍ପର୍କରେ ପଚାରିବାରୁ ଶ୍ରୀ ପତି କହିଛନ୍ତି ଯେ, ଦୀର୍ଘବର୍ଷ ହେବ ଓଟିଇଟିରେ ତ୍ରୁଟି ଲାଗି ରହୁଛି। ଚଳିତବର୍ଷ ଜାନୁଆରୀ ୧୬ରେ ଏହାର ଅଫ୍ ଲାଇନ୍ ପରୀକ୍ଷା ହୋଇଥିଲା। ମାତ୍ର କର୍ତ୍ତୃପକ୍ଷଙ୍କ ଅବହେଳାରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଫଳରେ ସମ୍ପୃକ୍ତ ପରୀକ୍ଷାକୁ ବାତିଲ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ଅନଲାଇନ୍ ପରୀକ୍ଷା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯେଉଁ ପରୀକ୍ଷାର୍ଥୀ ମାନେ ଅଫଲାଇନ୍ ପରୀକ୍ଷାରେ ସାମିଲ ହୋଇନଥିଲେ ସେମାନେ ଏହି ପରୀକ୍ଷା ଲାଗି ଆବେଦନ କରିବା ସହ ଅଫଲାଇନ୍ ପରୀକ୍ଷା ଲାଗି ଆବେଦନ କରିଥିବା ପରୀକ୍ଷାର୍ଥୀମାନେ ମଧ୍ୟ ଏହି ପରୀକ୍ଷା ଦେଇପାରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଫଳରେ ଅଫ୍ଲାଇନ୍ ପରୀକ୍ଷା ଲାଗି ପୂର୍ବରୁ ଆବେଦନ କରିଥିବା ପିଲାଙ୍କୁ ଏହି ପରୀକ୍ଷା ଲାଗି ସୁଯୋଗ ମିଳିଥିଲେ ହେଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାକୁ ୫୦୦କିମି ଦୂରରେ ପରୀକ୍ଷା କେନ୍ଦ୍ର ପଡ଼ିଥିଲା। ପିଲାମାନେ ବାଧ୍ୟହୋଇ ବହୁ ଅର୍ଥ ଖର୍ଚ୍ଚ କରି ଦୂରଦୂରାନ୍ତକୁ ଯାଇ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଲାଗି ଆଜି ବହୁ ମେଧାବୀଙ୍କ ଭବିଷ୍ୟତ ନଷ୍ଟ ହେବାକୁ ବସିଛି। ପରୀକ୍ଷାରେ ଯେଉଁ ପ୍ରଶ୍ନପତ୍ର ରହିଥିଲା ତାହାର ଉତ୍ତର ପରୀକ୍ଷାର୍ଥୀମାନେ ଉତ୍ତର ଖାତରେ ଲେଖିଛନ୍ତି। ତେବେ ଯେଉଁ ପ୍ରଶ୍ନପତ୍ର ରହିଥିଲା ତାହାର ଉତ୍ତର ସିଟ୍ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି। ମାତ୍ର ଯେଉଁ ପ୍ରଶ୍ନ ପଡ଼ିଥିଲା ତାହାର ଯେଉଁ ଅଜବ ଉତ୍ତର ପରିଷଦ ପକ୍ଷରୁ ଦିଆଯାଇଛି ତାକୁ ନେଇ କର୍ତ୍ତୃପକ୍ଷଙ୍କ ଦକ୍ଷତା ତଥା ଜ୍ଞାନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ପରୀକ୍ଷାରେ ୧୫୦ ମାର୍କର ପ୍ରଶ୍ନ ଥିବା ବେଳେ ସାଧାରଣବର୍ଗର ପିଲାଙ୍କ ଲାଗି ୯୦ ସିଲେକ୍ସନ ଏବଂ ଅନୁସୂଚିତଜାତି ଏବଂ ଜନଜାତି, ଓବିସି ବର୍ଗର ପିଲାଙ୍କ ଲାଗି ୭୫ମାର୍କ ରହିଛି। ଏଭଳି ସ୍ଥିତିରେ ପରୀକ୍ଷାରେ ବ୍ୟପକ ତ୍ରୁଟି ଏବଂ ବୋର୍ଡ କର୍ତ୍ତୃପକ୍ଷଙ୍କ ଖାମଖିଆଲ କାର୍ଯ୍ୟ ପିଲାଙ୍କ ଲାଗି ସମସ୍ୟା ସୃଷ୍ଟି ହୋଇଛି। ସେହିପରି ଏହି ପରୀକ୍ଷାରେ ମଧ୍ୟ ଓଡ଼ିଆ ପ୍ରଶ୍ନରେ ଯେଭଳି ତ୍ରୁଠି ଥିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅନେକ ପ୍ରଶ୍ନ ଅନ୍ୟ ଆଞ୍ଚଳିକ ଭାଷାରେ ଆସିଥିବା ବେଳେ ଆଉ କିଛି ପ୍ରଶ୍ନ କ’ଣ ରହିଛି ତାହା ମଧ୍ୟ ବୁଝାପଡୁନାହିଁ। ତେବେ ଜାଣିଶୁଣି ପିଲାଙ୍କ ଭବିଷ୍ୟତ ସହ ଖେଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ଏହାର ପ୍ରତିବାଦ କରିବା ସହ ଆନ୍ଦୋଳନ ହେବ ବୋଲି ପରୀକ୍ଷାର୍ଥୀମାନେ ଚେତାବନୀ ଦେଇଛନ୍ତି। ଚଳିତବର୍ଷ ପ୍ରାୟ ୨ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ଜଣାପଡ଼ିଛି।