ଓଏସଆରଟିସି ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଶାସନିକ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ବ୍ୟାପକ ପରିବର୍ତ୍ତନର ବାର୍ତ୍ତାବହ ହୋଇଥିବା ବହୁ ପ୍ରତୀକ୍ଷିତ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନବୀନ ନିବାସରୁ ୮ ଜଣ ଲୋକଙ୍କ ସହ ଫୋନ୍ ଯୋଗେ ସିଧାସଳଖ କଥା ହୋଇ ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବା ଓ ବ୍ୟବସ୍ଥା ସମ୍ପର୍କରେ ମତାମତ ଲୋଡ଼ିଥିଲେ।

ଏହି କ୍ରମରେ ଗୁରୁବାର ଓଡ଼ିଶା ପରିବହନ ନିଗମ ପକ୍ଷରୁ ଓଏସଆରଟିସି ପାଇଁ ଏକ ଟୋଲ ଫ୍ରି ନମ୍ବର (୧୮୦୦୩୪୫୧୧୨୨) ଜାରି କରାଯାଇଛି। ଏହି ନମ୍ବର ସାହାଯ୍ୟରେ ଓଏସଆରଟିସି ବସରେ ଯାତ୍ରା କରୁଥିବା ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରାଯାଇପାରିବେ। ଏହି ନମ୍ବର ବ୍ୟବହାର କରି ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅଭିଯୋଗ ମଧ୍ୟ କରିପାରିବେ। ଏହି ନମ୍ବର ଭୁବନେଶ୍ୱର ସ୍ଥିତ ପରିବହନ ଭବନରୁ ପରିଚାଳିତ ହେବା ଏବଂ ଏହା ଦ୍ୱାରା ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ।

ସୂଚନାଯୋଗ୍ୟ ଯେ ମୋ ସରକାର କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ପୁଲିସ ଥାନା ଓ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବଂ କଟକ, ବ୍ରହ୍ମପୁର ଓ ସମ୍ବଲପୁର ମେଡିକାଲ କଲେଜରେ ଆରମ୍ଭ ହୋଇଛି। ଅକ୍ଟୋବର ୩୦ ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ। ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ସବୁ ବିଭାଗରେ ଏହା କାର୍ଯ୍ୟକାରୀ ହେବ।