ମୋଦୀଙ୍କୁ ଅର୍ଡର ଅଫ୍ ରେନାସାଁ ସମ୍ମାନ

ମାନାମା,୨୫ା୮/ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାହାରିନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି କିଙ୍ଗ୍ ହମଦ୍ ଅର୍ଡର ଅଫ୍ ଦି ରେନାସାଁ’ ପ୍ରଦାନ କରାଯାଇଛି । ବାହାରିନର ରାଜା ହମଦ୍ ବିନ୍ ଅଲ୍ ଇସା ଖଲିଫା ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ପୂର୍ବରୁ ମଧ୍ୟ ମୋଦୀଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଜାୟେଦ୍’ ପ୍ରଦାନ କରାଯାଇଥିଲା ।
ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ପର୍ଯ୍ୟାୟରେ ଶନିବାର ବାହାରିନରେ ପହଞ୍ଚିଥିଲେ । ରବିବାର ସେ ବାହାରିନର ରାଜା ହମଦ୍ ଏବଂ ପ୍ରଧାନମନ୍ତ୍ରୀ ଖଲିଫା ବିନ୍ ସଲ୍ମାନ୍ ଅଲ୍ ଖଲିଫାଙ୍କ ସହ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏଥିରେ ଅନ୍ୟ ରାଷ୍ଟ୍ର ଉପରେ ହମଲା ପାଇଁ ଆତଙ୍କବାଦୀଙ୍କୁ ସାହାଯ୍ୟ ଓ ସହଯୋଗ କରୁଥିବା ରାଷ୍ଟ୍ରକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଆଲୋଚନା ହୋଇଥିଲା । ଦୁଇ ରାଷ୍ଟ୍ର ମଧ୍ୟରେ ସାଇବର ସୁରକ୍ଷା ଓ ମୌଳବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ପାରସ୍ପରିକ ସହଯୋଗ ବୃଦ୍ଧି ନିମନ୍ତେ ସଂକଳ୍ପବଦ୍ଧ ହୋଇଛନ୍ତି । ଏଥିସହିତ ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟ ସମୁଦାୟ ଏକଜୁଟ୍ ହେବାକୁ ଦୁଇ ନେତା ଆହ୍ୱାନ ଦେବା ସହ ଜାତିସଂଘ ଓ ସୁରକ୍ଷା ପରିଷଦର ସଂସ୍କାର ପାଇଁ ଦୃଢ଼ ମତ ପୋଷଣ କରିଛନ୍ତି । ପରେ ପ୍ରଧାନମନ୍ତ୍ରୀ ମୋଦୀ ବାହାରିନର ରାଜଧାନୀ ମାନାମାରେ ଥିବା ୨୦୦ବର୍ଷର ପୁରୁଣା ମନ୍ଦିରର ପୁନରୁଦ୍ଧାର ପାଇଁ ୪.୨ ନିୟୁତ ଡଲାରର ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏହା ବାହାରିନର ସବୁଠାରୁ ପ୍ରାଚୀନ ମନ୍ଦିର । ସେହିପରି ମାନାମାସ୍ଥିତ ଶ୍ରୀନାଥ ମନ୍ଦିରରେ ପହଞ୍ôଚ ଶ୍ରୀକୃଷ୍ଣ ପୂଜା କରିଥିଲେ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ବାହାରିନକୁ ଧନ୍ୟବାଦ ଦେଇଛନ୍ତି । ତେବେ ବାହାରିନ୍ ସବୁ ଧର୍ମକୁ ସମ୍ମାନ ଦେଉଥିବା ଏହି ମନ୍ଦିର ପ୍ରମାଣିତ କରୁଛି ।