‘ଦିଲ ବେଚାରା’ର ଡିଜିଟାଲ ରିଲିଜକୁ ବିରୋଧ

ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ଥିଲା ‘ଦିଲ ବେଚାରା’। ମଇ ୮ ତାରିଖରେ ଏହା ରିଲିଜ ହେବାର ଥିଲା। ମାତ୍ର କରୋନା ମହାମାରୀ କାରଣରୁ ତାହା ସମ୍ଭବ ହେଲା ନାହିଁ ଓ ଇତି ମଧ୍ୟରେ ସୁଶାନ୍ତ ଆମ ସମସ୍ତଙ୍କ ଗହଣରୁ ବିଦାୟ ନେଇଛନ୍ତି। ତାଙ୍କ ଅବର୍ତ୍ତମାନରେ ତାଙ୍କର ଶେଷ ଫିଲ୍ମ ଜୁଲାଇ ୨୪ ତାରିଖରେ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରିବା ଯୋଜନା ରହିଛି। ଏହି ନିଷ୍ପତ୍ତିରେ ଦୁଃଖୀ ହୋଇଛନ୍ତି ସୁଶାନ୍ତଙ୍କ ପ୍ରଶଂସକ।

ନିଜ ପ୍ରିୟ ତାରକାଙ୍କ ଶେଷ ଫିଲ୍ମକୁ ସେମାନେ ବଡ଼ ପର୍ଦ୍ଦାରେ ଦେଖିବାରୁ ବଞ୍ଚିତ ହେବା ନିଶ୍ଚିତ ଜାଣି ଡିଜିଟାଲ ରିଲିଜକୁ ବିରୋଧ କରିଛନ୍ତି। ପ୍ରଶଂସକଙ୍କ ଏଭଳି ବିରୋଧକୁ ନେଇ ଏକ ଇମୋସନାଲ ପୋଷ୍ଟ ଲେଖିଛନ୍ତି ‘ଦିଲ ବେଚାରା’ର ନାୟିକା ସଞ୍ଜନା। ପୋଷ୍ଟ ଲେଖିବା ସହିତ ସଞ୍ଜନା ଏକ ଭଏସ୍ ମେସେଜ୍ ସେୟାର କରି ପ୍ରଶଂସକ ଡିଜିଟାଲ ରିଲିଜକୁ ବିରୋଧ ନ କରିବା ପାଇଁ ଅନୁରୋଧ କରିଛନ୍ତି। ସଞ୍ଜନା ଆହୁରି କହିଛନ୍ତି, ‘ସ୍କ୍ରିନର ଆକାର ଦେଖନ୍ତୁ ନାହିଁ। ଏହା ବଦଳରେ ଦିଲ୍ର ଆକାରକୁ ଯେତେ ଚାହଁ ବଢ଼ାଇପାର, ଯେତେ ଚାହଁ ଭଲପାଇପାର ଓ ଗର୍ବ କରିପାର।’