ନୂଆଦିଲ୍ଲୀ: ରାଜ୍ୟସଭାରୁ ୭ଦିନ ପାଇଁ ନିଲମ୍ବିତ ହୋଇଥିବା ୮ଜଣ ସାଂସଦ ସଂସଦ ଭବନ ପରିସରରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଆଉ ତାଙ୍କ ହାତରେ ‘ଗଣତନ୍ତ୍ରର ହତ୍ୟା’ ଓ ‘ସଂସଦର ହତ୍ୟା’ ପ୍ଲାକାର୍ଡ ରହିଛି। ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ କଂଗ୍ରେସ, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ତୃଣମୂଳ କଂଗ୍ରେସ ଓ ଆମ ଆଦମି ପାର୍ଟିର ସଦସ୍ୟ ରହିଛନ୍ତି।
ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି କହିଛନ୍ତି ଯେ, ‘କୃଷକଙ୍କ ଅଧିକାର ପାଇଁ ଲଢ଼େଇ ଲଢ଼ୁଥିବା ଏହି ୮ଜଣ ସାଂସଦଙ୍କୁ ନିଲମ୍ବିତ କରିବା ଦୁର୍ଭାଗ୍ୟପୂର୍ଣ୍ଣ ଓ ଏକଛତ୍ରବାଦୀ ଶାସନକୁ ଦର୍ଶାଉଛି। କିନ୍ତୁ ଆମେ ହାରିବୁ ନାହିଁ ସଂସଦରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ଲଢ଼ିବୁ।’