ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଗଲେନି ବିରୋଧୀଦଳ ନେତା

୯୦% ଅର୍ଥ କେନ୍ଦ୍ର ଦେଇଛି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜି କଳାହାଣ୍ଡିରେ ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ନିମନ୍ତ୍ରଣ ସତ୍ତେ୍ୱ ସ୍ଥାନୀୟ ବିଧାୟକ ତଥା ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଏହାକୁ ବର୍ଜନ କରିବା ସ୍ଥାନୀୟ ଅଞ୍ଚଳରେ ଜୋର ଚର୍ଚ୍ଚା ସୃଷ୍ଟି କରିଛି। ତେବେ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗୋଟିଏ ମଞ୍ଚ ଏବଂ ଅନ୍ୟ ନେତାଙ୍କ ପାଇଁ ଭିନ୍ନ ମଞ୍ଚର ବ୍ୟବସ୍ଥା ହୋଇଥିବା ସକାଶେ ଏହାକୁ ବର୍ଜନ କରିଥିବାର ଶ୍ରୀ ନାଏକ କହିଛନ୍ତି। ଏପରି ବ୍ୟବସ୍ଥାକୁ ସାମନ୍ତବାଦର ପ୍ରତୀକ କହିବା ସହ ମୁଖ୍ୟମନ୍ତ୍ରୀ କି ପରମ୍ପରା ଆରମ୍ଭ କରିବାକୁ ଚାହୁଁଛନ୍ତି? ବୋଲି ସେ ପ୍ରଶ୍ନ କରିଛନ୍ତି।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡକାଇ ଶ୍ରୀ ନାଏକ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅବସରରେ ମୋତେ ବି ସେହି ସମାନ କାର୍ଯ୍ୟକ୍ରମକୁ ଡକାଯାଇଥିଲା। ହେଲେ ମୁଁ ଗଲି ନାହିଁ। କାରଣ ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଲଗା ଏକୁଟିଆ ମଞ୍ଚ ଓ ଅନ୍ୟମାନଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି ଏହା ସାମନ୍ତବାଦୀ ମାନସିକତାର ପ୍ରତିଫଳନ। ଜିଲ୍ଲାର ସମସ୍ତ ବିଧାୟକ, ମନ୍ତ୍ରୀମାନଙ୍କ ପ୍ରତି ଏହା ଅପମାନ। ସମସ୍ତଙ୍କର କୋଭିଡ଼ ଟେଷ୍ଟ ହୋଇଥିବା ସତ୍ତେ୍ୱ ମୁଖ୍ୟମନ୍ତ୍ରୀ ଏକା ବସିବେ ଆଉ ଅନ୍ୟମାନେ ଅଲଗା ବସିବେ କାହିଁକି? କାହିଁକି ଅନ୍ୟ ଜନପ୍ରତିନିଧିଙ୍କୁ ନିଚ୍ଚା ଦେଖାଇବା ପାଇଁ ପ୍ରୟାସ କରାଯାଉଛି ଏହା ବୁଝି ହେଉନାହିଁ ବୋଲି ସେ କହିଛନ୍ତି।

ଶ୍ରୀ ନାଏକ ଏହା ମଧ୍ୟ କହିଛନ୍ତି ଯେ ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେହେଁ ତାକୁ ଶାସକ ଦଳର ଦଳୀୟ କାର୍ଯ୍ୟକ୍ରମ କରିଦିଆଗଲା। ମଞ୍ଚରେ ଦଳୀୟ ପତାକା ଦେଖିବାକୁ ମିଳିଲା। ଏପରିକି ଏହି ପ୍ରକଳ୍ପରେ କେନ୍ଦ୍ର ସରକାର ଏଆଇବିପି ଯୋଜନାରେ ୯୦% ଅର୍ଥ ଖର୍ଚ୍ଚ କରିଛନ୍ତି ହେଲେ ଶ୍ରେୟ ଟିକେ ବି ଦେବାକୁ ମଣିଲେନି। ସମୁଦାୟ ପ୍ରକଳ୍ପରେ ୭୫୬କୋଟି ଖର୍ଚ୍ଚ ହୋଇଥିବାବେଳେ ୨୬ ହଜାର ହେକ୍ଟର ଜମି ଜଳସେଚିତ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ହେବ। କାରଣ ଏହି ପ୍ରକଳ୍ପ ୨୦୧୧ରେ ଆରମ୍ଭ ହୋଇ ୨୦୧୩ରେ ସରିବା ପାଇଁ ଡିପିଆର ପ୍ରସ୍ତୁତ ହୋଇଥିଲା କିନ୍ତୁ, ସେତେବେଳର କେନ୍ଦ୍ର ସରକାର ଅର୍ଥ ଦେଲେ ନାହିଁ। ଫଳରେ ପ୍ରକଳ୍ପ କାମ ଆରମ୍ଭ ହୋଇପାରିଲା ନାହିଁ। ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରେ ହିଁ ୨୦୧୫ରେ ଏହି ପ୍ରକଳ୍ପର କାମ ଆରମ୍ଭ ହେଲା। କେନ୍ଦ୍ର ସରକାରଙ୍କର ଯୋଜନାରେ ହେଉଥିବା ପ୍ରକଳ୍ପ ଲୋକାର୍ପଣର ସରକାରୀ ଉତ୍ସବକୁ ଦଳୀୟ ଢଙ୍ଗରେ କରାଯିବା ଅତ୍ୟନ୍ତ ନିନ୍ଦନୀୟ। କେନ୍ଦ୍ରୀୟ ଯୋଜନାର ଶ୍ରେୟ ନେବାପାଇଁ ମୁଖ୍ୟମନ୍ତ୍ରୀ ହୀନ ରାଜନୀତି କରୁଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି।

ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଯାହା ୨୦୦୧ ମସିହାରୁ ଚାଲିଲାଣି ବର୍ତ୍ତମାନ ଏହାର ପୁନରୁଦ୍ଧାର ଓ ମରାମତି ଆବଶ୍ୟକ। କାରଣ ଚାଷୀମାନଙ୍କର ଅଭିଯୋଗ ତଳମୁଣ୍ଡରେ ପାଣି ପହଞ୍ଚୁନି। ସରକାରଙ୍କ ଜ୍ଞାତସାରରେ ଏହାସବୁ ଅଛି। ୨୦୧୪ରେ ସରକାର ଏହାର ଟେଣ୍ଡର ମଧ୍ୟ କରିଥିଲେ ମରାମତି ପାଇଁ। ହେଲେ କାହିଁକି କେଜାଣି, ଏହାର ମରାମତି ହେଉନି କି କ୍ଷେତକୁ ପାଣି ଯାଉନି। ସେହିପରି ୨୦୧୫ରେ ରେତ୍ ନଦୀରେ ଏକ ବୃହତ ଉଠା ଜଳସେଚନ ପ୍ରକଳ୍ପ ଯାହାକୁ ମୁଖ୍ୟମନ୍ତ୍ରୀ ନିଜେ ଉଦଘାଟନ କରିଥିଲେ ତାହାର ବି ସେହି ସମାନ ଅବସ୍ଥା। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଧ୍ୟାନ ଦେବା ଦରକାର ବୋଲି ଶ୍ରୀ ନାଏକ କହିଛନ୍ତି।

କଳାହାଣ୍ଡିରେ କୃଷି ବିଶ୍ୱବିଦ୍ୟାଳୟର ସ୍ଥାପନା ପାଇଁ ସେତେବେଳର କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଘୋଷଣା କରିଥିଲେ। ୮୦୦ ଏକର ଜମି ବି ଚିହ୍ନଟ ହୋଇଛି। ହେଲେ ସେ କାମ କାହିଁକି ଅଟକିଲା? କିଏ ଅଟକାଇଲା? ସରକାରଙ୍କ ନାଲି ଫିତା ତଳେ କାହିଁକି ଏହି ପ୍ରକଳ୍ପ ଚାପି ହୋଇଗଲା ତାହା ମୁଖ୍ୟମନ୍ତ୍ରୀ ଆଜି କୁହନ୍ତୁ ବୋଲି ଶ୍ରୀ ନାଏକ କହିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହେବାର ୨୨ ବର୍ଷ ବିତିଗଲାଣି ହେଲେ ତାହାର କାର୍ଯ୍ୟାଳୟ କାହିଁକି ପଶ୍ଚିମ ଓଡ଼ିଶାରେ ନହୋଇ ଭୁବନେଶ୍ୱରରେ ରହିଛି? ଯେଉଁ ଅଞ୍ଚଳପାଇଁ ପରିଷଦ ତିଆରି ହୋଇଛି ସେହି ଅଞ୍ଚଳରେ ଏହାର କାର୍ଯ୍ୟାଳୟ ସ୍ଥାପନ କରନ୍ତୁ ମୁଖ୍ୟମନ୍ତ୍ରୀ। ଜିଲ୍ଲାରେ ୬୫ହଜାର ହେକ୍ଟର ଜମିରେ କପା ଚାଷ ହେଉଥିବା ବେଳେ କେସିଙ୍ଗା ସୁତା କଳ କାହିଁକି ବନ୍ଦ ପଡିଛି? ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ କରି ନୂଆ ନିବେଶକଙ୍କୁ ଆଣୁଛନ୍ତି ହେଲେ ଯେଉଁ କାରଖାନା ବନ୍ଦ ଅଛି ତାହାକୁ ଚାଲୁ କରୁନାହାଁନ୍ତି କାହିଁକି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଭବାନୀ ଭୋଇ, ଗଣେଶ ରାମ ଖୁଣ୍ଟିଆ, ରାଜ୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ ଓ ଠାକୁର ରଞ୍ଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।