ଆସାମର ଷ୍ଟାର ସିମେଣ୍ଟ ପ୍ଲାଣ୍ଟକୁ ପାଉଁଶ ପଠାଇଲା ଓପିଜିସି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କଳକାରଖାନରୁ ନିର୍ଗତ ହେଉଥିବା ପାଉଁଶର ସୁବିନିଯୋଗ ପାଇଁ ବନହରପାଲିସ୍ଥିତ ଓଡିଶା ପାୱାର ଜେନେରେସନ କର୍ପୋରେସନ(ଓପିଜିସି) ପଦକ୍ଷେପ ଗ୍ରହଣ କରିଛି। ଓପିଜିସି ଆଜି ଆସାମର ଷ୍ଟାର୍ ସିମେଣ୍ଟ ପ୍ଲାଣ୍ଟକୁ ପାଉଁଶ ପଠାଇବା ଆରମ୍ଭ କରିଛି। ଏହି ପାଉଁଶ ପିପିସି (ପୋର୍ଟଲ୍ୟାଣ୍ଡ) ପାଜୋଲାନା ସିମେଣ୍ଟ ତିଆରିରେ ବ୍ୟବହାର କରାଯିବ। ଓପିଜିସିର ଇବ ଥର୍ମାଲ୍ ପାୱାର ଷ୍ଟେସନରୁ ଆସାମ ସ୍ଥିତ ଉକ୍ତ ସିମେଣ୍ଟ କାରଖାନାକୁ ଆଜି ରେଳ ଯୋଗେ ପ୍ରାୟ ୪ହଜାର ଏମଟି ଫ୍ଲାଏ ପାଉଁଶ ପଠାଯାଇଛି।

ଓପିଜିସି ପାଖରେ ଫ୍ଲାଏ ଆଶକୁ ସିଧାସଳକ ରେଲୱେ ରେକରେ ଲୋଡ କରିବାର ଅତ୍ୟାଧୁନିକ ଯାନ୍ତ୍ରିକ ସୁବିଧା ରହିଛି, ଯାହା ବହୁତ କମ କାରଖାନାରେ ଉପଲବ୍ଧ । ଓପିଜିସିର ଇବ ଥର୍ମାଲ ପାୱାର ଷ୍ଟେସନଠାରେ ଦୈନିକ ୨୩୦୦ ଏମଟି କ୍ଷମତା ବିଶିଷ୍ଟ ତିନୋଟି ଶୁଖିଲା ଫ୍ଲାଏ ଆଶ ସାଇଲୋ ଅଛି। ଆସାମକୁ ପାଉଁଶ ପଠାଇବା ପାଇଁ ପଦକ୍ଷେପ ପରେ ଏବେ ଓପିଜିସି ମାସକୁ ପ୍ରାୟ ୯୦ହଜାର ମେଟ୍ରିକ୍ ଟନ୍ ପାଉଁଶ ନିଷ୍କାସନ କରିବାର କ୍ଷମତା ହାସଲ କରିଛି। ଏହି କ୍ଷମତା ଆଗମିଦିନରେ ଆହୁରି ବୃଦ୍ଧି ପାଇବାସହ ଓପିଜିସିର ପାଉଁଶ ବ୍ୟବହାର ଅନେକାଂଶରେ ବୃଦ୍ଧି ପାଇବ।