ଓପିଜିସି ପାଉଁଶ ପୋଖରୀ ପ୍ରସଙ୍ଗ : ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ

ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା ବନହରପାଲି ସ୍ଥିତ ଇବଥର୍ମାଲ ଓଡିଶା ପାଓାର ଜେନେରେସନ କର୍ପୋରେସନ (ଓପିଜିସି)ର ପାଉଁଶ ପୋଖରୀ ନିର୍ମାଣକୁ ସଂସାରୀଟିକରା ଗ୍ରାମବାସୀ ତୀବ୍ର ବିରୋଧ କରିବାରୁ ଏହା ଅର୍ଦ୍ଧ ନିର୍ମିତ ହୋଇ ରହିଛି। ପାଉଁଶ ପୋଖରୀ ନିର୍ମାଣ କରିବା ତଥା ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ଶୁକ୍ରବାର ଜିଲ୍ଲା ଖଣିଜ ପାଣ୍ଠି ଗୃହରେ ସଂସାରୀଟିକରା ଗ୍ରାମବାସୀ, ଜିଲ୍ଲା ପ୍ରଶାସନ ଓ ଓପିଜିସି କର୍ତୁପକ୍ଷଙ୍କୁ ନେଇ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ବିସ୍ଥାପନ, ଥଇଥାନ ଓ ଉପଯୁକ୍ତ କ୍ଷତି ପୂରଣ ପରେ ପାଉଁଶ ପୋଖେରୀ କାମ ଆରମ୍ଭ କରିବା ପାଇଁ ଦାବି କରିଥିଲେ।

ଏନେଇ ଗ୍ରାମକୁ ବିସ୍ଥାପିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି। ଏହାସହ ଓପିଜିସି କର୍ତୁପକ୍ଷ ଗ୍ରାମବାସୀଙ୍କୁ ଦେଇଥିବା ପୂର୍ବ ପ୍ରତିଶୃତି ଗୁଡିକୁ ପୁରଣ କରିବ। ତେଣୁ ପାଉଁଶ ପୋଖରୀ ନିର୍ମାଣ ଆଗାମୀ ଦିନରେ ଆରମ୍ଭ ହେଲେ ଏହାକୁ ବିରୋଧ ନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଓପିଜିସି କର୍ତୁପକ୍ଷ ଗ୍ରାମବାସୀଙ୍କୁ କହିଥିଲେ। ହେଲେ ଗ୍ରାମବାସୀମାନେ ବିସ୍ଥାପନ ଓ ଥଇଥାନ ନହେଲେ ପୋଖରୀ କାମ ଆରମ୍ଭ କରିବାକୁ ଦିଆଯିବ ନାହି ବୋଲି କହିଛନ୍ତି। ଜୋର ଜବରଦସ୍ତ କାମ ଆରମ୍ଭ କଲେ ଗ୍ରାମବାସୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଶନିବାର କାମ ଆରମ୍ଭ କରାଯିବ କି ନାହିଁ ତାହା ଜିଲ୍ଲା ପ୍ରଶାସନ ଓ ଓପିଜିସି କର୍ତୁପକ୍ଷଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଯଦି ଲୋକଙ୍କ ସହମତି ବିନା ପାଉଁଶ ପୋଖରୀ କାର୍ଯ୍ୟ ଆରମ୍ଭ ହୁଏ ତେବେ ଏକ ପ୍ରକାର ଜନ ଆନ୍ଦୋଳନ ସୁନିଶ୍ଚିତ ମନେ ହେଉଛି।

ଅନ୍ୟପଟେ ଏହି ବୈଠକରେ ଯୋଗ ଦେଇଥିବା ବ୍ରଜରାଜନଗର ବିଧାୟକ କିଶୋରେ ମହାନ୍ତି କହିଛନ୍ତି ଗ୍ରାମବାସୀଙ୍କ ଦୁଃଖ ଜିଲ୍ଲାପାଳ ଶୁଣିଛନ୍ତି। ସେହି ଅନୁସାରେ ଓପିଜିସି ଡାଇରେକ୍ଟରଙ୍କୁ ତାଗିତ କରାଯାଇଛି ଯେ, ସେ ସଂସାରାଟିକରା ଗ୍ରାମବାସୀ ତଥା ସ୍ଥାନୀୟ ଲୋକଙ୍କ ସୁବିଧା ସୁଯୋଗ ପ୍ରତି ଧ୍ୟାନ ଦେବେ। ଏହାସହ ଆଗାମୀ ଦିନରେ ଓପିଜିସି ଗ୍ରାମବାସୀଙ୍କୁ ବିସ୍ଥାପିତ କରାଇ ଅନ୍ୟତ୍ର ଥଇଥାନ କରିବା ସହ ଉପଯୁକ୍ତ କ୍ଷତି ପୂରଣ ଦେବ। ଏହି ବୈଠକରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଜିଲ୍ଲାପଳ ସରୋଜ କୁମାର ସାମଲ, ଉପଜିଲ୍ଲପାଳ ଶିବ ଟପ୍ପୋ, ଏଏସପି ନୃପ ଚରଣ ଦଣ୍ଡସେନା, ଓପିଜିସି ନିର୍ଦ୍ଦେଶକ, ତିଲିଆ ଓ ରମ୍ପେଲା ଗ୍ରାମପଂଚାୟତର ସରପଂଚ ତଥା ସଂସାରୀଟିକରା ଗରାମବାସୀମାନେ ଉପସ୍ଥିତ ଥିଲେ।
ପ୍ରକାଶ ଯୋଗ୍ୟ ଯେ, ଓପିଜିର ଏହି ପାଉଁଶ ପୋଖରୀ ନିର୍ମାଣକୁ ଆରମ୍ଭରୁ ସଂସରାଟିକରା ଗ୍ରାମବାସୀ ବିରୋଧ କରି ଆସୁଛନ୍ତି। ସେମାନେ ସମ୍ପୂର୍ଣ୍ଣ ବିସ୍ଥାପନ, ଥଇଥାନ ଓ ଉପଯୁକ୍ତ କ୍ଷତିପୂରଣ ପାଇଁ ପାଉଁଶ ପୋଖରୀ ନିର୍ମାଣକୁ ବିରୋଧ କରୁଥିବା ବେଳେ ଏହି ପୋଖରୀ ନିର୍ମାଣ ମାମାଲା ଏବେ ନେସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ରେ ବିଚାର ଧୀନ ଅଛି। ଏନଜିଟି ଝାରସୁଗୁଡା ଜିଲ୍ଲାପାଳ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମେମ୍ବର ସେକ୍ରେଟାରୀଙ୍କୁ ତଦନ୍ତ କରି ପରବର୍ତୀ ଶୁଣାଣି ଜାନୁଆରୀ ୨୦ ପୂର୍ବରୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ତେବେ ମାମଲା ଏନଜିଟି ନିକଟରେ ଥିଲେ ମଧ୍ୟ ଓପିଜିସି କର୍ତୁପକ୍ଷ ଗତ ୧୬ ତାରିଖ ପାଉଁଶ ପୋଖରୀରର ପାଚେରୀ ନିର୍ମାଣ କାର୍ଯ ଆରମ୍ଭ କରିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ଲୋକଙ୍କ ବିରୋଧକୁ ଦେଖି ଜିଲ୍ଲାପଳ ଶ୍ରୀ ସାମଲ ପାଚେରୀ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ କରିଥିଲେ।

ଗତ ଗୁରୁବାର ସଂଧ୍ୟାରେ ବରଗଡ ସାଂସଦ ସୁରେଶ ପୁଝାରୀ ସଂସରାଟିକରା ଗ୍ରାମ ପରିଦର୍ଶନ କରି ପ୍ରଥମେ ଗ୍ରାମବାସୀଙ୍କତ ସମସ୍ତ ଦାବି ପୂରଣ କରାଯାଉ ପରେ ପାଉଁଶ ପୋଖରୀ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ଅନୁମତି ଦିଅନ୍ତୁ ବୋଲି କହିଥିଲେ। ଏହାସହ ସେ ଲୋକଙ୍କୁ ଅନ୍ୟତ୍ର ଥଇଥାନ ନକାରଇ ଏଠାରେ ପାଉଁଶ ପୋଖରୀ ନିର୍ମାଣ କରାଗଲେ ଆଗାମୀ ଦିନରେ ସ୍ଥାନୀୟ ଲୋକେ ରୋଗବ୍ୟାଧିରେ ପଡି ପ୍ରାଣ ହରାଇବେ ବୋଲି କହିଥିଲେ। ସେହିପରି ଗ୍ରାମବାସୀମାନେ କହିଛନ୍ତି ସଂସରାଟିକିରା ଗ୍ରାମର ଜିରୋ ପଏନଟରେ ପାଉଁଶ ପୋଖରୀ ନିର୍ମାଣ କରାଯାଉଥିବାରୁ ପରିବେଶ ପ୍ରଦୂଷଣ ହେବା ସହ ପୋଖରୀ, କଁଟା, ଚାଷ ଜମି ଆଦି ବ୍ୟାପକ ପ୍ରଦୂଷିତ ହୋଇ ସାରିଲାଣି। ପ୍ରଦୂଷିତ ପାଣି ଓ ପାଉଁଶ ପୋଖରୀରର ନିର୍ମାଣ ସମୟରେ ଉଡୁଥିବା ଧୁଳି ଗୁଣ୍ଡ ଯୋଗୁଁ ଗ୍ରାମରେ ବସବାସ କରିବା କଷ୍ଟକର ହେଲାଣି। ଆଗାମୀ ଦିନରେ ଏଠାରେ ପାଇଁଶ ପୋଖରୀ କାର୍ଯ୍ୟକ୍ଷମ ହେଲେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିବା ସୁନିଶ୍ଚିତ। ତେଣୁ ଗ୍ରାମାବାସୀଙ୍କୁ ସମ୍ପୂର୍ଣ୍ଣ ବିସ୍ଥାପିତ କରି ଥଇଥାନ ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ପରେ ପାଉଁଶ ପୋଖରୀ ନିର୍ମାଣ କରାଯାଉ ବୋଲି ଗ୍ରାମବାସୀମାନେ ଦାବି କରିଥିଲେ।

ଏହାସହ ଓପିଜିସି ପକ୍ଷରୁ ଏହି ଗ୍ରାମବାସୀଙ୍କ ପାଇଁ ଏକ ପୋଖରୀ, ଡବ୍ଲୁଏସଏଜ ସ୍କିମ ଜରିଆରେ ପାଣି ସହ ପାଇଖାନା ନିର୍ମାଣ, ତିନୋଟି ପଡ଼ାକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ, ସ୍ୱାବଳମ୍ବି ନିମନ୍ତେ ମହିଳା ପୁରୁଷଙ୍କ ପାଇଁ ଏସଏସଜି ସମ୍ବନ୍ଧିୟ ତାଳିମ, ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଯୁବକ ଯୁବତୀମାନଙ୍କୁ ଠିକା ସଂସ୍ଥା ମାଧ୍ୟମରେ ନିଯୁକ୍ତି, ଓପିଜିସି ସ୍ୱାସ୍ଥ୍ୟକାର୍ଡ଼ ମାଧ୍ୟମରେ ମାଗଣା ଚିକିତ୍ସା, ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବା ଆସିବାକୁ ମାଗଣାରେ ସ୍କୁଲ ଭେନ ଯୋଗାଇବା ଆଦି ଦାବି ଗୁଡ଼ିକ ଉପରେ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ବର୍ତମାନ ସୁଦ୍ଧା ତାହା ପୁରଣ କରାଯାଇ ନାହିଁ ବୋଲି ଗ୍ରାମବାସୀମାନେ କହିଥିଲେ। ଅନ୍ୟପଟେ କମ୍ପାନୀ କର୍ତୁପକ୍ଷ ପାଉଁଶ ପୋଖରୀ ପାଇଁ ତିଲିଆ ମୌଜାରେ ଜମି ଅଧି ଗ୍ରହଣ କରାଯାଇଛି। ସଂସାରୀଟିକ୍ରା ଗ୍ରାମ ରମ୍ପେଲା ପଂଚାୟତ ଅଧିନରେ ରହିଛି। ତେଣୁ ଏହି ଗ୍ରାମକୁ ବିସ୍ଥାପିତ କରିବାର କୌଣସି ଆବଶ୍ୟକତା ରହି ନାହିଁ। ଗ୍ରାମଠାରୁ ୪୮ ମିଟର ଦୂର ଓ ହୀରାକୁଦ ଜଳ ଭଣ୍ଡାରରୁ ୫ଶହ ମିଟର ଦୂରରେ ପାଉଁଶ ପୋଖରୀ ନିର୍ମାଣ କରାଯାଉଛି ବୋଲି କମ୍ପାନୀ କର୍ତୁପକ୍ଷ ସଫେଇ ଦେଇଥିଲେ।