କଟକ,ଏନ୍ଏନ୍ଏସ୍ : ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଇତିହାସ ରଚିଛି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ୍ । କଟକ ବଡ ମେଡିକାଲରେ ଓଡ଼ିଶାର ପ୍ରଥମ କାଡଭାରିକ ଟ୍ରାନ୍ସପ୍ଲାଂଟ୍ କରାଯାଇଛି । ସୋମବାର ରାତିରେ ଭୁବନେଶ୍ୱରରୁ ଜଣେ ମୃତ ରୋଗୀଙ୍କ ଠାରୁ କିଡନୀ ଅଣାଯାଇ କଟକ ଏସସିବିରେ କିଡନୀ ହରାଇଥିବା ରୋଗୀଙ୍କଠାରେ ଆଜି ପ୍ରତିରୋପଣ କରାଯାଉଛି । ଏସସିବିର ଏକ ବିଶେଷଜ୍ଞ ଦଳ ଆଜି ପ୍ରତ୍ୟୁଷରେ କିଡନୀ ପ୍ରତିରୋପଣ କରିଥିବା ସୂଚନା ମିଳିଛି । କିଡନୀ ହରାଇଥିବା ଜଣେ ରୋଗୀଙ୍କ ଜୀବନ ବଂଚାଇବାକୁ ଜଣେ ମୃତ ଯୁବତୀଙ୍କ କିଡନୀକୁ ଆଣି ପ୍ରତିରୋପଣ କରାଯାଇଛି । ଏହି ପ୍ରତିରେୋପଣ ଓଡ଼ିଶା ଚିକିତ୍ସା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି ।
ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗକୁ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ କରିବା ଚିକିତ୍ସାକୁ ଡାକ୍ତରୀ ଭାଷାରେ ‘କାଡଭାରିକ ଟ୍ରାନ୍ସପ୍ଲାଂଟ୍’ କୁହାଯାଇଥାଏ। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ସଦ୍ୟମୃତ ଘୋଷିତ ଜଣେ ଯୁବତୀଙ୍କ କିଡନୀକୁ କଢ଼ାଯାଇ ତାହାକୁ ଏସସିବିକୁ ଆଣି ଦୀର୍ଘ ସାଢ଼େ ତିନି ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ ଏହି ପ୍ରତିରୋପଣ ହୋଇଛି । ଆଜି ସକାଳ ୮.୩୦ ପାଖାପାଖି ଏହି କ୍ଲୀଷ୍ଟ ଚିକିତ୍ସା ପ୍ରକ୍ରିୟା ‘କାଡଭାରିକ ଟ୍ରାନ୍ସପ୍ଲାଂଟ୍’ ସଂପୂର୍ଣ୍ଣ ହୋଇଛି।