ଅନଲାଇନରେ ଔଷଧ କାରବାର ଖୁଚୁରା ବ୍ୟବସାୟକୁ କାଳ !

ସମ୍ବଲପୁର,ଏନ୍ଏନ୍ଏସ୍: ଅନଲାଇନରେ ଔଷଧ କାରବାର ଏବେ ମେଡିସିନ ଦୋକାନୀ ତଥା ଖୁଚୁରା ବ୍ୟବସୀୟୀଙ୍କୁ ପ୍ରଭାବିତ କରିବ। ସମ୍ବଲପୁର ଜିଲ୍ଲା କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ (ଏସଡିସିଡିଏ)ର ଦ୍ୱିବାର୍ଷିକ ସାଧାରଣ ଅଧିବେଶନରେ ଉତ୍କଳ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ (ୟୁସିଡିଏ)ର ସଭାପତି ପି. ସତ୍ୟନାରାୟଣ ଏକଥା କହିଛନ୍ତି।

ଅନଲାଇନ ଭଳି ମାଧ୍ୟମରେ ଔଷଧ ବ୍ୟବସାୟକୁ ସୁଯୋଗ ଦିଆଯିବା ଦ୍ୱାରା ଦେଶର ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ଆହ୍ୱାନ ସୃଷ୍ଟି ହେଉଛି। ଏଥିରେ ନକଲି ଓ ଜାଲ ଔଷଧ କାରବାର ଅଧିକ ହେବା ନେଇ ସେ ଆଶଙ୍କା ପ୍ରକାଶ କରିଥିଲେ।

ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକ ମାମିନା ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ଔଷଧ ବିପଣନ କ୍ଷେତ୍ରରେ ସମାଜସେବାର ବ୍ୟାପକ ସୁଯୋଗ ରହିଛି। ଏହିଭଳି ସୁବିଧାର ସଦୁପଯୋଗ କରି ମଣିଷ ହିଁ ମଣିଷର କଲ୍ୟାଣରେ ନିୟୋଜିତ ହୋଇପାରିବ। ରାଜ୍ୟ ଓ ଦେଶକୁ ସୁସ୍ଥ ଓ ସୁସ୍ୱାସ୍ଥ୍ୟକର କରି ଗଢ଼ିବା ପାଇଁ ଏହି କ୍ଷେତ୍ରର ଭୂମିକା ଅନସ୍ୱୀକାର୍ଯ୍ୟ। ଡାକ୍ତର, ଔଷଧ ପ୍ରସ୍ତୁତକର୍ତ୍ତା, ବିକ୍ରେତା ଏବଂ ଗୁଣାତ୍ମକମାନ ନିୟାମକମାନଙ୍କ ସମ୍ମିଳିତ ଉଦ୍ୟମରେ ରୋଗୀଙ୍କୁ ଉପଶମ କରାଯାଇ ପାରିବ।

ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆହ୍ୱାନ ମଧ୍ୟ ସମ୍ମିଳିତ ଉଦ୍ୟମ ପାଇଁ ପ୍ରଯୁଜ୍ୟ ଅଟେ। ରାଜ୍ୟରେ ଇ-ଫାର୍ମାସୀ ଏବଂ ଅନଲାଇନ ବ୍ୟବସାୟ ଉପରେ ବ୍ୟାପକ ପର୍ଯ୍ୟାଲୋଚନା ଚାଲିଛି। ଔଷଧ ବ୍ୟବସାୟ ପାଇଁ ରାଜ୍ୟରେ ଲାଇସେନ୍ସ ପ୍ରକ୍ରିୟାକୁ ୨୦୧୭ ଅକ୍ଟୋବର ମାସରୁ ସରଳୀକରଣ କରାଯାଇଛି। ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଯୋଜନାର ଔଷଧ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ସେ କହିଥିଲେ।