ରାଜଭବନରେ ଅଭିଯୋଗ ପାଇଁ ଅନଲାଇନ ବ୍ୟବସ୍ଥା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାଧାରଣ ଅଭିଯୋଗଗୁଡ଼ିକର ସମାଧାନ ଓ ଶୀଘ୍ର ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଜୁଲାଇ ୬ ତାରିଖରୁ ଓଡ଼ିଶା ରାଜଭବନରେ ଅନଲାଇନରେ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟା ପ୍ରଚଳିତ ହେବ। ଏହି ଉଦ୍ଦେଶ୍ୟରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ୱେବ୍ ପୋର୍ଟାଲ ବିକଶିତ କରାଯାଇଛି। ଏହା ମାଧ୍ୟମରେ ଅଭିଯୋଗକାରୀ ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ନିଜ ଅଭିଯୋଗ ଅପଲୋଡ୍ କରିପାରିବେ।

ଏହା ପ୍ରାପ୍ତ ହେଲା ପରେ ସମ୍ପୃକ୍ତ ବିଭାଗକୁ ତାର ଫଏସଲା ନିମନ୍ତେ ଯଥାସମ୍ଭବ ତୁରନ୍ତ ପଦକ୍ଷେପ ନେବାକୁ ପଠାଇ ଦିଆଯିବ। ୱେବ୍ ପୋର୍ଟାଲରେ ଅଭିଯୋଗ ଅପଲୋଡ୍ ହେଲା ମାତ୍ରେ ଅଭିଯୋଗକାରୀ ନିଜ ଫୋନ୍ ନମ୍ବରରେ ପଞ୍ଜୀକରଣ ସଂଖ୍ୟା ସହ ଏକ ମେସେଜ୍ ପାଇବେ। ଏହି ପଞ୍ଜୀକରଣ ସଂଖ୍ୟାକୁ ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ନିଜ ଅଭିଯୋଗର ସ୍ଥିତି ସମ୍ପର୍କରେ ଜାଣିବାକୁ ବ୍ୟବହାର କରିପାରିବେ। ଏହି ଅନଲାଇନ ଅଭିଯୋଗ ପ୍ରତିକାର ପ୍ରକ୍ରିୟାର ଲକ୍ଷ୍ୟ ସମୟର ସଠିକ୍ ଉପଯୋଗ ସହ ଶୀଘ୍ର ଅଭିଯୋଗ ଫଏସଲା ପାଇଁ ଅଭିପ୍ରେତ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି।