ପିଆଜ ଦର ବୃଦ୍ଧି ପ୍ରସଙ୍ଗ ,ଅନ୍ୟରାଜ୍ୟ ଠାରୁ ଓଡ଼ିଶାରେ ଦର କମ ଅଛି : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପିଆଜର ଅହେତୁକ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଲାଣି। କଟକ, ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ପରି ରାଜ୍ୟର ବିଭିନ୍ନ ସ୍ଥାନରେ ୮୦ରୁ ଅଧିକ ଟଙ୍କାରେ ଗ୍ରାହକ ପିଆଜ କିଣୁଛନ୍ତି। ତେବେ ଆଗକୁ ଆହୁରି ଦର ବଢ଼ିବା ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ସେପଟେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହା କେବଳ ରାଜ୍ୟର ନୁହେଁ ସାରା ଦେଶର ଅବସ୍ଥା ବୋଲି କହି ଦୋଷ ଝାଡ଼ି ଦେଇଛନ୍ତି। ସେ କହିଛନ୍ତି, ପିଆଜ ଦର ଦିନକୁ ଦିନ ବୃଦ୍ଧି ହୋଇ ଚାଲିଥିବା ବେଳେ କଳାବଜାରି ଉପରେ ସରକାର ନଜର ରଖିଛନ୍ତି।

ଯେଉଁଠି ଗ୍ରହକମାନଙ୍କୁ ବ୍ୟବସାୟୀ ବେଆଇନ ଭାବେ ଚଢ଼ା ଦରରେ ପିଆଜ ବିକୁଛନ୍ତି ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ରାଜ୍ୟ ସରକାର ଏନେଇ ସଜାଗ ରହିଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ସେ କହିଲେ ଯେ ସାରା ଦେଶରେ ପିଆଜ ଦର ବୃଦ୍ଧିକୁ ନେଇ ସମାନ ଅବସ୍ଥା ଦେଖାଦେଇଛି । କେବଳ ତିନୋଟି ରାଜ୍ୟରେ ପିଆଜ ଦର ଓଡ଼ିଶା ଠାରୁ କମ୍ ରହିଛି । ଗତ ୨୩ , ୨୪, ଓ ୨୫ ତାରିଖରେ ଲଗାଣ ବର୍ଷା ଯୋଗୁଁ ଉତ୍ପାଦନ ବ୍ୟାହତ ହୋଇଛି। ମାକେର୍ଟକୁ ପିଆଜ ପହଞ୍ଚିପାରୁନାହିଁ । ରାଜ୍ୟ ସରକାର ବାହାରୁ ପିଆଜ କିଣି ୨୮୪ ଟି ଫେୟାର ପ୍ରାଇସ ସପ୍ ଜରିଆରେ କମ୍ ଦରରେ ପିଆଜ ବିକ୍ରି କରୁଛନ୍ତି । ଇତିମଧ୍ୟରେ କେନ୍ଦ୍ର ସରକାର ବିଦେଶରୁ ପିଆଜ କିଣିବାକୁ ବ୍ୟବସ୍ଥା କରିଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି ।