ପିଆଜ କାଟିଲେ ନୁହେଁ, ଏଣିକି ଦାମ୍ ଶୁଣିଲେ କାନ୍ଦିବେ

ପିଆଜ@୮୦

ନୂଆଦିଲ୍ଲୀ: ମାର୍କେଟରେ ପିଆଜ ଦାମ୍ ଶୁଣି ଲୋକେ ଛାନିଆ। ଆଉ କିଣିବେ ତ ଦୂରର କଥା। ଦିଲ୍ଲୀ ସମେତ ଦେଶର ଅନ୍ୟ ସହରରେ ପିଆଜର ଖୁଚୁରା ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ମୌସୁମୀଜନିତ ଲଗାଣ ବର୍ଷା କାରଣରୁ ପିଆଜ ଉତ୍ପାଦନ ତଥା ଯୋଗାଣରେ ବାଧା ସୃଷ୍ଟି ହେଉଥିବାବେଳେ କିଲୋପ୍ରତି ଏହା ୭୦ରୁ ୮୦ ଟଙ୍କାରେ ପହଞ୍ଚିଛି। ଏପରିସ୍ଥଳେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ପିଆଜ ବ୍ୟବସାୟୀଙ୍କ ଭଣ୍ଡାରର ସୀମା ଧାର୍ଯ୍ୟ କରିବା ପ୍ରସଙ୍ଗରେ ବିଚାର କରିପାରନ୍ତି ବୋଲି ଉଲ୍ଲେଖ କରାଯାଇଛି।

ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦିଲ୍ଲୀରେ ଗତ ସପ୍ତାହରେ ପିଆଜର ଖୁଚୁରା ମୂଲ୍ୟ କିଲୋ ପିଛା ୫୭ ଟଙ୍କା ରହିଥିଲା। ସେହିପରି ମୁମ୍ବାଇରେ ଏହା ୫୬ ଟଙ୍କା, କୋଲକାତାରେ ୪୮ ଟଙ୍କା ଏବଂ ଚେନ୍ନାଇରେ ୩୪ ଟଙ୍କା ରହିଥିଲା। ଗୁର୍ଗାଓଁ ଓ ଜମ୍ମୁରେ ମଧ୍ୟ ପିଆଜ ଦର କିଲୋ ପିଛା ୬୦ ଟଙ୍କାରେ ପହଞ୍ଚିଥିଲା। ମାତ୍ର ଗତ ସପ୍ତାହ ଶେଷସୁଦ୍ଧା ପିଆଜର ଖୁଚୁରା ମୂଲ୍ୟ ବୃଦ୍ଧି ପାଇ କିଲୋ ପିଛା ୭୦ରୁ ୮୦ ଟଙ୍କାର ଆକାଶଛୁଆଁ ସ୍ତରରେ ପହଞ୍ଚିଥିବା ବ୍ୟାପାର ଡାଟାରେ ଉଲ୍ଲେଖ କରାଯାଇଛି। ଓଡିଶାରେ ପିଆଜ ଦର ୫୦ ଛୁଇଁଲାଣି।

କେନ୍ଦ୍ର ସରକାର ପିଆଜ ଯୋଗାଣ ବଢ଼ାଇବା ଲାଗି ଅନେକ ପଦକ୍ଷେପ ନେଉଥିବା ସତ୍ତେ୍ୱ ପିଆଜ ଦର ବୃଦ୍ଧି ପାଉଛି। ପ୍ରମୁଖ ପିଆଜ ଉତ୍ପାଦନକାରୀ କ୍ଷେତ୍ର ବିଶେଷକରି ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ପୂର୍ବ ରାଜସ୍ଥାନ ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ଗତ ଦୁଇଦିନ ମଧ୍ୟରେ ଅତ୍ୟଧିକ ବର୍ଷା ହୋଇଛି। ଯାହାଦ୍ୱାରା ଉତ୍ପାଦନ ଏବଂ ଯୋଗାଣ ପ୍ରଭାବିତ ହେବା ଦ୍ୱାରା ପିଆଜର ଖୁଚୁରା ମୂଲ୍ୟରେ ଅହେତୁକ ବୃଦ୍ଧି ହୋଇଛି।

ମାତ୍ର ଯୋଗାଣରେ ଏହି ବାଧା ସୀମିତ ସମୟ ପାଇଁ ରହିଛି। ଯଦି ଆଗାମୀ ୨ରୁ ୩ଦିନ ମଧ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ନହୁଏ, ତେବେ ସରକାର ବ୍ୟବସାୟୀମାନଙ୍କ ପାଇଁ ଭଣ୍ଡାରର ସୀମା ଧାର୍ଯ୍ୟ କରିବା ଉପରେ ବିଚାର କରିପାରନ୍ତି ବୋଲି ଜଣାପଡ଼ିଛି। ବ୍ୟବସାୟୀଙ୍କ କହିବା ମୁତାବକ ଦେଶର ଅଧିକାଂଶ ଭାଗରେ ବର୍ତ୍ତମାନ ଭଣ୍ଡାରରୁ ପିଆଜ ବିକ୍ରି କରାଯାଉଛି।