ପିଆଜ ରପ୍ତାନିରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ଦେଶରେ ପିଆଜ ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଥିବାବେଳେ ଗ୍ରାହକମାନେ କିଲୋପିଛା ୮୦ରୁ ୯୦ ଟଙ୍କାରେ ଏହାକୁ କିଣୁଛନ୍ତି। ତେଣୁ ବର୍ଦ୍ଧିତ ଦରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ଧରଣର ନିଷ୍ପତ୍ତି ନେଇଛନ୍ତି। ମୋଦୀ ସରକାର ପିଆଜ ରପ୍ତାନି ଉପରେ ତତ୍କାଳ ପ୍ରଭାବରେ ପ୍ରତିବନ୍ଧକ ଲାଗୁ କରିଦେଇଛନ୍ତି। ପିଆଜର ବର୍ଦ୍ଧିତ ମୂଲ୍ୟରେ ହ୍ରାସ ଆଣିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି।

କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ତରଫରୁ ପିଆଜ ରପ୍ତାନି ନୀତିରେ ଆଗାମୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସଂଶୋଧନ କରାଯାଇଛି, ଯାହାଦ୍ୱାରା ସମସ୍ତ କିସମର ପିଆଜ ରପ୍ତାନି ଉପରେ ତତ୍କାଳ ପ୍ରଭାବରେ ପ୍ରତିବନ୍ଧକ ଜାରି କରାଯାଇଛି। ସରକାର ପିଆଜ ମୂଲ୍ୟରେ ହ୍ରାସ ଆଣିବା ଲାଗି ପ୍ରୟାସ ଚଳାଉଛନ୍ତି ବୋଲି ଖାଦ୍ୟମନ୍ତ୍ରୀ ରାମବିଳାଶ ପାସୱାନ୍ ଗତ ୨୪ ତାରିଖରେ କହିଥିଲେ। ବର୍ତ୍ତମାନ ଏହାର ୫୦ ହଜାର ଟନ୍ର ବଫର୍ ଷ୍ଟକ୍ ରହିଛି। ଦେଶର ଅନ୍ୟ ସହରରେ ପିଆଜର ମୂଲ୍ୟ କିଲୋପ୍ରତି ୭୦ରୁ ୮୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଏପରିସ୍ଥଳେ କେନ୍ଦ୍ର ସରକାର ବ୍ୟବସାୟୀଙ୍କ ଭଣ୍ଡାରର ସୀମା ଧାର୍ଯ୍ୟ କରିବା ଉପରେ ବିଚାର କରୁଛନ୍ତି ବୋଲି ଜଣାପଡ଼ିଛି।