ବାର୍ହା ଶିକାର ପାଇଁ ଖଞ୍ଜା ଯାଇଥିବା ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର ଜିଲ୍ଲା By Nitidin On Apr 17, 2020 Share ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ବଲଣ୍ଡା ଗ୍ରାମରେ ବାର୍ହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ବାରକୋଟ ଫରେଷ୍ଟ ରେଞ୍ଜ ତଥା ଥାନା ଅନ୍ତର୍ଗତ ବଲଣ୍ଡା ଗ୍ରାମ୍ୟ ଜଙ୍ଗଲରେ ବେଆଇନ ଜନ୍ତୁ ଶିକାର ପାଇଁ ଉକ୍ତ ଗ୍ରାମର ସୁଶୀଲ ମଲ୍ଲିକ ନାମକ ଜଣେ ଶିକାରୀ ଜିଆଇ ତାରରେ ବିଦ୍ୟୁତ୍ ସଂଯୋଗ କରି ରାସ୍ତାରେ ବିଛାଇ ଥିଲା। ତେବେ ଦୁର୍ଭାଗ୍ୟ ବଶତଃ ଆଜି ସକାଳେ ଉକ୍ତ ରାସ୍ତା ଦେଇ ଗ୍ରାମର ବିଭୁତି ଭୂୟାଁ(୨୬)ନାମକ ଯୁବକ କୌଣସି କାମରେ ଯାଉଥିବା ସମୟରେ ରାସ୍ତାରେ ପଡ଼ିଥିବା ଜୀବନ୍ତ ବିଦ୍ୟୁତ୍ ତାର ଉପରେ ଚଢ଼ି ଯାଇଥିଲେ। ଫଳରେ ସେଠାରେ ସେ ଗୁରୁତର ଭାବେ ପୋଡି ଯାଇଥିଲେ। ପରେ ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ବାରକୋଟ ଓ ପରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଉଦବେଗ ଜନକ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ ଶିକାରୀ ସୁଶୀଲକୁ ଗ୍ରାମବାସୀମାନେ ବାରକୋଟ ଥାନା ପୁଲିସକୁ ଜିମା ଦେଇଥିବାବେଳେ ବାରକୋଟ ରେଞ୍ଜ ବନବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରୁ ଜିଆଇ ତାର ଓ ଶିକାର ପାଇଁ ଉଦ୍ଧିଷ୍ଟ ଅନ୍ୟାନ୍ୟ ଉପକରଣ ଜବତ କରିଛି। ସେହିପରି ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ବାରକୋଟ ଥାନା ପୁଲିସ ମଧ୍ୟ ଏକ ମାମଲା ରୁଜୁ କରିଛି। Share