କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ

ରାୟଗଡ଼ା,ଏନ୍ଏନ୍ଏସ୍: ଦାଦନ ଶ୍ରମିକ ଚାଲାଣ ରୋକିବା ନିମନ୍ତେ ରାଜ୍ୟ ସରକାର ଯେତେ ସବୁ ଯୋଜନା ଓ ଆଇନ ପ୍ରଣୟନ କଲେ ମଧ୍ୟ ଦାଦନ ଚାଲାଣ ଥମିବାର ନାଁ ଧରୁନି। ଏ ନେଇ ଶ୍ରମ ବିଭାଗ ଓ ରାଜ୍ୟ ସରକାରଙ୍କୁ ତରଫରୁ ବିଭିନ୍ନ ପ୍ରକାର ସଚେତନ ମୂଳକ କାର୍ଯ୍ୟକ୍ରମଗୁଡିକ କରାଯାଉଛି। ଦାଦନ ଶ୍ରମିକ ଚାଲାଣ ରୋକିବାର ସେପରି କିଛି ଆଖିଦୃଶିଆ ସଫଳତା ମିଳୁନଥିବା ବେଳେ ଦାଦାନ ଖଟିବାକୁ ଯାଇ ଅନେକଙ୍କ ମୃତ୍ୟୁ ହେଉଥିବା ନଜିର୍ ରହିଛି। ସେହିଭଳି କେରଳରେ ଶୁକ୍ରବାର ଏକ ଦାଦନ ଶ୍ରମିକର ମୃତ୍ୟୁ ହୋଇଥିବା ଜଣାଯାଇଛି।

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଅନ୍ତର୍ଗତ ରେଙ୍ଗା ପଞ୍ଚାୟତର ପଟାମୁଣ୍ଡି ଗାଁର ଚନ୍ଦ୍ରମଣୀ ନାୟକ(୨୫) କେରଳର ମାଙ୍ଗାଲୁର ନିକଟସ୍ତ ତିସୁର ସହରକୁ ନିଜ ସାଙ୍ଗମାନଙ୍କ ସହିତ ଦାଦାନ ଖଟିବାକୁ ଯାଇଥିଲେ। ତେବେ ଗତ ୧୧ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିବା ସାଙ୍ଗମାନେ ଘରଲୋକଙ୍କୁ ଖବର ଦେଇଥିଲେ। ତେବେ ଏହି କଥାକୁ ଘର ଲୋକେ ସହଜରେ ଗ୍ରହଣ କରିପାରି ନଥିଲେ ।

ଗତ ୧୦ ତାରିଖରେ ସେ ଘର ଲୋକଙ୍କ ସହିତ କଥା ବାର୍ତ୍ତା ହୋଇଥିଲେ ଏବଂ କଥାବାର୍ତ୍ତା ସମୟରେ ସେଭଳି କିଛି ଦେହ ଖରାପ କି ଅନ୍ୟ କିଛି ଥିବା ଜଣାପଡ଼ିନଥିଲା। ସାଙ୍ଗମାନଙ୍କଠାରୁ ପାଇଥିବା ଫୋଟରୁ ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଗତକାଲି ସ୍ଥାନୀୟ ଶ୍ରମବିଭାଗ ସହାୟତାରେ ପରିବାର ଲୋକେ କେରଳର ତିସୁର ଅଭିମୁଖେ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ପରବର୍ତ୍ତୀ ପଦକ୍ଷେପ ନିଅଯିବ ବୋଲି ଜଣାପଡ଼ିଛି।