ଓଡ଼ିଶା ୱାନ ପୋର୍ଟାଲରେ ହେବ ସବୁ ସରକାରୀ କାମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଗକୁ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏବଂ ସେବା ଓଡ଼ିଶା ୱାନ ନାମକ ଏକ ୱେବ୍ ପୋର୍ଟାଲ ମାଧ୍ୟମରେ ସଞ୍ଚାଳିତ ହେବ। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ୫ଟି ଚାର୍ଟର ଅଧୀନରେ ଏହି ସିଙ୍ଗିଲ ୱିଡୋ ସଞ୍ଚାଳିତ ହେବ ଯାହା ଫଳରେ ‘ ଜିଟୁସି’ ସେବା ବିତରଣକୁ ସୁରୁଖୁରୁରେ କରାଯାଇପାରିବ। ଏନେଇ ପୂର୍ତ୍ତ ବିଭାଗର ଉପ ସଚିବ ମହେନ୍ଦ୍ର ପଣ୍ଡା ମୁଖ୍ୟଯନ୍ତ୍ରୀ (ସିଭିଲ) ଓ ମୁଖ୍ୟଯନ୍ତ୍ରୀ(ଏନଏଚ)ଙ୍କୁ ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶାସନିକ କ୍ଷେତ୍ରରେ ୫ଟିକୁ ଗୁରୁତ୍ୱ ଦେଉଥିବା ବେଳେ ଗୋଟିଏ ପୋର୍ଟାଲ ଦ୍ୱାରା କମ ସମୟ ମଧ୍ୟରେ ସହଜରେ କାମ ହୋଇପାରିବ। ପୂର୍ବରୁ ଲାଗୁ ହୋଇଥିବା ଓସ୍ୱାସ୍ ସିଷ୍ଟମକୁ ପରିବର୍ତ୍ତନ କରି ଏହି ଉନ୍ନତିକରଣ କରାଯିବା। ଚିଠିରେ ଶ୍ରୀ ପଣ୍ଡା ଓଡ଼ିଶା ୱାନ ପୋର୍ଟାଲରେ ନିୟୋଜିତ ବୈଷୟିକ ଟିମ୍କୁ ଆବଶ୍ୟକୀୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୋର୍ଟାଲର ସମସ୍ତ ମାଷ୍ଟର ଡାଟାର ସମ୍ପୂର୍ଣ୍ଣ ତଥ୍ୟ ବୈଷୟିକ ଟିମ ଆଗରେ ଉପଲବ୍ଧ କରାଇବା ସହ ସେମାନଙ୍କ ସହିତ ଉପଯୁକ୍ତ ତାଳମେଳ ରକ୍ଷା କରିବା ପାଇଁ ଜଣେ ନୋଡାଲ ଅଫିସରକୁ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପ୍ରଶାସନିକ ବିଭାଗ ଏବଂ ସଂପୃକ୍ତ ବିଭାଗୀୟ ନିର୍ଦ୍ଦେଶାଳୟ ସଂଗଠିତ ହାଇ କାର୍ଯ୍ୟ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଶାସନିକ ବିଭାଗ ସାଙ୍ଗରେ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ମିଶାଇ ଦିଆଯିବ।

ସରକାରୀ କାର୍ଯ୍ୟ ଆହୁରୀ ସୁଗମ ଏବଂ ନିଷ୍ପତ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲଷ୍ୟରେ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଫାଇଲ ଅନଲାଇନ ପୋର୍ଟାଲ ମାଧ୍ୟମରେ ସିଧାସଳଖ ସମ୍ପୃକ୍ତ ବିଭାଗକୁ ଆସିବ। ନୂଆ ବ୍ୟବସ୍ଥାରେ, ସିଙ୍ଗିଲ ଫାଇଲ ବ୍ୟବସ୍ଥା ପ୍ରଚଳନ କରାଯିବ। ନିର୍ଦ୍ଦେଶାଳୟର ପ୍ରସ୍ତାବଗୁଡ଼ିକ ପୁନଃ ତର୍ଜମା କରାଯିବ ନାହିଁ। ଗୋଟିଏ କାମକୁ ଦୁଇ ଥର କରି ସମୟ ନଷ୍ଟ କରା ନଯିବାକୁ ଗୁରୁତ୍ୱ ଦିଆଯାଇଛି।

ଉଭୟ ପ୍ରଶାସନିକ ବିଭାଗ ଏବଂ ସଂପୃକ୍ତ ନିର୍ଦ୍ଦେଶାଳୟର କମନ୍‍ ଅଫିସ ଏଷ୍ଟାବ୍ଲିସମେଣ୍ଟ, ଇସ୍ୟୁ ଆଣ୍ଡ ଆକାଉଣ୍ଟସ୍, କ୍ୟାସ୍ ବ୍ୟବସ୍ଥାକୁ ପୁର୍ନଗଠନ କରାଯିବ। ଡିଡିଓ,ଏଷ୍ଟାବ୍ଲିସମେଣ୍ଟ ଅଫିସର ଏବଂ କର୍ମଚାରୀଙ୍କୁ କମ୍ପାଜିଟ୍‍ ବିଭାଗର ଆବଶ୍ୟକତା ଅନୁଯାୟୀ ନିୟୋଜିତ କରାଯିବ।