ବ୍ୟାନ ଟ୍ୟାବଲେଟ ବିକ୍ରି କରି ଜଣେ ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହରରେ ବେଆଇନ ଭାବେ ନିଶା ଟ୍ୟାବଲେଟ ବିକ୍ରି ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ଜଣଙ୍କ ହେଲେ ବଲାଙ୍ଗିର ସହର ହାତୀଶାଲ ପଡ଼ା ଜୋରଖଣ୍ଡିର ବସନ୍ତ ସାହୁ (୪୫) । ବସନ୍ତଙ୍କ ନିକଟରୁ ପୁଲିସ ୧୫ ଶହ ଆନଜୋଲାମ ଟ୍ୟାବଲେଟ-୦.୫ ଜବତ କରିଥିବା ନେଇ ସଦର ଏସଡିପିଓ ଶ୍ରୀମନ୍ତ ବାରିକ କହିଛନ୍ତି।

ପୁଲିସର ସୂଚନାନୁଯାୟୀ, ପେଟ୍ରୋଲିଂ ସମୟରେ ବସନ୍ତ ସାହୁ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ନିଶା ଟ୍ୟାବଲେଟ ବିକ୍ରି କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସ ହାତୀଶାଲ ପଡ଼ା କ୍ଲବ ହାଉସଠାରେ ବସନ୍ତକୁ ଧରିଥିଲା। ପରେ ଯାଞ୍ଚ କରିବା ସମୟରେ ବସନ୍ତଙ୍କ ନିକଟରୁ ଆନଜୋଲମ ନିଶା ଟ୍ୟାବଲେଟ ଜବତ ହୋଇଥିଲା। ବ୍ୟାନ ହୋଇଥିବା ଏହି ଟ୍ୟାବଲେଟ କେବଳ ଡାକ୍ତରଙ୍କ ପ୍ରେସକ୍ରିପସନରେ ହିଁ ବିକ୍ରି ହୋଇପାରିବ । କିନ୍ତୁ କିଭଳି ଭାବେ ଏହି ଟ୍ୟାବଲେଟ ଏତେ ପରିମାଣରେ ବସନ୍ତ ପାଖକୁ ଆସିଲା ଓ ତାହା କିଏ ଯୋଗାଉଛି ସେନେଇ ତଦନ୍ତ କରାଯାଉଛି ବୋଲି ଏସଡିପିଓ କହିଛନ୍ତି । ତେବେ ବସନ୍ତଙ୍କ ନାମରେ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।