ଏଣିକି ୱାନ୍ ନେସନ୍, ୱାନ୍ ମେଡିକାଲ ଏଣ୍ଟ୍ରାନ୍ସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୱାନ୍ ନେସନ୍, ୱାନ୍ ମେଡିକାଲ ଏଣ୍ଟ୍ରାନ୍ସ ଅର୍ଥାତ ଏଣିକି ଡାକ୍ତରୀ ପଢ଼ିବା ପାଇଁ ସାରା ଦେଶରେ ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ତାହା ହେଉଛି ‘ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ ଯେତିକି ଖୁସି ଅଛନ୍ତି ସେତିକି ଚିନ୍ତିତ ମଧ୍ୟ ହୋଇଛନ୍ତି। ପୂର୍ବରୁ ଏମ୍ସ, ଜିପ୍ମର୍( ଜବାହାରଲାଲ ଇନଷ୍ଟିଚ୍ୟୁଟ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ), ପିଜିଆଇମର୍(ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ, ଚଣ୍ଡିଗଡ଼) ଭଳି ପ୍ରତିଷ୍ଠାନରେ ଡାକ୍ତରୀ ଶିକ୍ଷା ପାଇଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ହେଉଥିଲା।

ମାତ୍ର ସବୁ ଛାତ୍ରଛାତ୍ରୀଙ୍କୁ ସମାନ ସୁଯୋଗ ଓ ଶିକ୍ଷାକ୍ଷେତ୍ରରେ ସମାନ ମାନ ଧାର୍ଯ୍ୟ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୋଟିଏ ପ୍ରବେଶିକା ପରୀକ୍ଷା କରିବାକୁ ସ୍ଥିର କରିଛି। ତେବେ ପୂର୍ବରୁ ଏମସ୍, ପିଜିଆଇମର୍ ଓ ଜିପମର୍ ପରି ଅନୁଷ୍ଠାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ ଆସୁଥିବା ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା କରାଯାଉଥିଲା। ତେବେ ଏହି ତିନୋଟି ଡାକ୍ତରୀ ଶିକ୍ଷା ଅନୁଷ୍ଠାନରେ ଆସନ୍ତାବର୍ଷ ୟୁଜି ପ୍ରବେଶିକା ପରୀକ୍ଷା ନକରାଇବାକୁ ସ୍ୱାସ୍ଥୃ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୃକ୍ତ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି।

ଏହା ଫଳରେ ନିଟ୍ ରାଙ୍କ୍ ଆଧାରରେ ଛାତ୍ରଛାତ୍ରୀମାନେ ଏହି ସବୁ ମେଡିକାଲ କଲେଜରେ ନାମଲେଖାଇବାର ସୁଯୋଗ ପାଇବେ। ଖାଲି ସେତିକି ନୁହେଁ କମନ୍ କାଉନସେଲିଂ ଓ ଏମବିବିଏସ୍ ଶେଷ ବର୍ଷ ପରୀକ୍ଷା ସବୁ ମେଡିକାଲ କଲେଜ ପାଇଁ ସମାନ ରହିବ। ତେବେ ଆସନ୍ତା ଶିକ୍ଷାବର୍ଷରୁ ଏହା ଲାଗୁ ହେବ। ଜାତୀୟ ମେଡିକାଲ କମିଶନ ଆଇନ୍ ୨୦୧୯ ଅନୁଯାୟୀ, ନ୍ୟାସନାଲ ଏକ୍ଜିଟ୍ ଟେଷ୍ଟ ବା ନେକ୍ସଟ୍ ଫଳାଫଳ ଆଧାରରେ ପିଜି ପାଠ୍ୟକ୍ରମରେ ନାମଲେଖାରେ ସୁଯୋଗ ଓ ଚିକିତ୍ସା ଲାଗି ଲାଇସେନ୍ସ ମିଳିବ। ନେକ୍ସଟ୍ ପରୀକ୍ଷାର ଚୂଡାନ୍ତ ରୁପରେଖ ସମ୍ପର୍କରେ ଖୁବଶୀଘ୍ର କୁହାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏମବିବିଏସ୍ ପାଠ୍ୟକ୍ରମ ଲାଗି କମନ୍ ପ୍ଲାଟଫର୍ମ ରହିଲେ ଭଲ। ମାତ୍ର କୌଣସି କାରଣରୁ ନିଟ୍ ପରୀକ୍ଷାରୁ ବଞ୍ôଚତ ହେଲେ ଗୋଟିଏ ବର୍ଷ ବରବାଦ ହେବ। କିନ୍ତୁ ଏକାଧିକ ପରୀକ୍ଷା ଫି’ରୁ ମୁକ୍ତି ମିଳିବ। ସେହିପରି ଏମସ୍ ଓ ଜିପମର୍ ଲାଗି ବୟସ ସୀମା ଧାର୍ଯ୍ୟ ହୋଇ ନଥିବାବେଳେ ନିଟ୍ ଲାଗି ବୟସ ସୀମା ରହିଛି ୨୫ବର୍ଷ। ତେଣୁ ଅଧା ଶିକ୍ଷାବର୍ଷ ଶେଷ ହୋଇଥିବାରୁ ସରକାରଙ୍କ ଏ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଇବ ବୋଲି ଚର୍ଚ୍ଚା ହେଉଛି।