‘One Nation One Agricultural Market’ system will eliminate lockdown downturn in agriculture ’

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଫଳରେ ଚାଷୀଙ୍କୁ ମିଳିବ ଅଧିକ ବିକଳ୍ପ। କୃଷି ଉତ୍ପାଦର ଉନ୍ମୁକ୍ତ ବ୍ୟବସାୟ ସୁଗମ ହେବ। ଅଧିକ ଉତ୍ପାଦନ କ୍ଷେତ୍ରରେ ଉଚିତ ମୂଲ୍ୟ ଏବଂ କମ୍ ଉତ୍ପାଦନ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବେ ନାହିଁ ଉପଭୋକ୍ତା। ନିକଟରେ କୃଷି କ୍ଷେତ୍ର ପାଇଁ ‘ଏକ ରାଷ୍ଟ୍ର ଏକ କୃଷି ବଜାର’ ବ୍ୟବସ୍ଥାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିବା ପରେ ଚାଷୀ ମହଲରେ ଉତ୍ସାହ ଦେଖାଦେଇଛି।

କରୋନା ମହାମାରୀ ଜନିତ ଲକଡାଉନ କାରଣରୁ ମାନ୍ଦାବସ୍ଥା ପୀଡ଼ିତ କୃଷି କ୍ଷେତ୍ରରେ ଏହି ପଦକ୍ଷେପ ଦ୍ୱାରା ସୁଧାର ଆସିପାରିବ ବୋଲି କୃଷି କ୍ଷେତ୍ରର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ବିଶେଷ କରି ମକା ଉତ୍ପାଦନ କରି ସେଗୁଡ଼ିକୁ ବିକ୍ରି କରୁଥିବା ନବରଙ୍ଗପୁର ଜିଲ୍ଲାର ଚାଷୀମାନେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଜିଲ୍ଲାର ମକା ଚାଷୀ ନରେନ୍ଦ୍ର ମହାପାତ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ବ୍ୟବସ୍ଥା ଏକ ଯୁଗାନ୍ତକାରୀ ପଦକ୍ଷେପ। ତେବେ ରାଜ୍ୟ ସରକାର ଏହାର ସଫଳ ରୂପାୟନ କଲେ ଚାଷୀ ବିଶେଷ ଭାବେ ଉପକୃତ ହୋଇପାରିବେ।

ସୂଚନାଯୋଗ୍ୟ ଯେ କୃଷିପ୍ରଧାନ ନବରଙ୍ଗପୁର ଜିଲ୍ଲାର ଚାଷୀମାନେ ମୁଖ୍ୟତଃ ଧାନ ଓ ମକା ଚାଷ କରିଥାନ୍ତି। ଜିଲ୍ଲାରେ ପ୍ରାୟ ୬୦ ହଜାର ହେକ୍ଟର ଜମିରେ ମକା ଚାଷ ହୋଇଥାଏ। ଲକ୍ଡାଉନ ଯୋଗୁଁ ଏଥର ମକା କୁଇଣ୍ଟାଲ ପ୍ରତି ମାତ୍ର ୧୨ଶହ ଟଙ୍କାରେ ବିକ୍ରି ହୋଇଛି। ଗତବର୍ଷ ଖରିଫ ଋତୁରେ ୩୨୨ ଜଣ ଚାଷୀ ଇ-ନାମ ଜରିଆରେ ମକା କୁଇଂଟାଲ ପ୍ରତି ୨୦୦୦ ଟଙ୍କାରେ ବିକ୍ରି କରିଥିଲେ। ଚଳିତ ବର୍ଷ ମକା ଦର ହ୍ରାସ ପାଇଥିବାରୁ ଚାଷୀ ଏବେ ଚିନ୍ତାରେ ଅଛନ୍ତି। ପ୍ରତିବର୍ଷ ମକା ଦର ଅସନ୍ତୁଳିତ ରହୁଥିବାର ଚାଷୀମାନେ କ୍ଷତିର ସମ୍ମୁଖିନ ହେଉଛନ୍ତି। ତେବେ ଏକ ରାଷ୍ଟ୍ର ଏକ ବଜାର ବ୍ୟବସ୍ଥା ଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଉଚିତ ମୂଲ୍ୟରେ ପାଇପାରିବେ।