ପୁଣି କରୋନା ନିୟମ ଭାଙ୍ଗିଲେ ଅପରାଜିତା: କେନ୍ଦ୍ରକୁ ପତ୍ର ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର ଏନ୍ଏନ୍ଏସ୍: କୋଭିଡ-୧୯ ନିୟମକୁ ଉଲଂଘନ କରି ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଜନ୍ମଦିନ ପାଳନ କରିଛନ୍ତି। ଆଉ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କେନ୍ଦ୍ରକୁ ରାଜ୍ୟ ସରକାର ପତ୍ର ଲେଖିଛନ୍ତି। ଅପରାଜିତା ବାରମ୍ବାର କୋଭିଡ ନିୟମ ଉଲ୍ଲଂଘନ କରୁଥିବାରୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦଙ୍କୁ ଚିଠି ଲେଖିଛନ୍ତି। ଏଥିସହିତ ଉକ୍ତ ମାମଲାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବାକୁ ମଧ୍ୟ ସେ ପତ୍ରରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ମିଶ୍ର ପତ୍ରରେ ଲେଖିଛନ୍ତି ଯେ, ମାସ୍କ ନ ପିନ୍ଧି, ସାମାଜିକ ଦୂରତା ପାଳନ ନକରି ଶ୍ରୀମତୀ ଷଡ଼ଙ୍ଗୀ ସହସ୍ରାଧିକ ମହିଳାଙ୍କ ଗହଣରେ ଜନ୍ମଦିନ ପାଳନ କରୁଥିବା ଭିଡିଓରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ପ୍ରଧାନମନ୍ତ୍ରୀ କୋଭିଡ-୧୯ ନିୟମକୁ ପାଳନ କରିବାକୁ ବାରମ୍ବାର ଦେଶବାସୀଙ୍କୁ ନିବେଦନ କରୁଥିବାବେଳେ ଜଣେ ସାଂସଦ ଏହାର ଉଲ୍ଲଂଘନ କରିଛନ୍ତି। ଏହା ପ୍ରଥମଥର ହୋଇଥିଲେ ମୁଁ କଦାପି ଦୃଷ୍ଟିକୋଣକୁ ଆଣିନଥାନ୍ତି କିନ୍ତୁ ସାଂସଦ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବାରୁ ପତ୍ର ଲେଖିଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।