ରାଜ୍ୟ ଆଉ ଜଣେ କରୋନା ରୋଗୀ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ତାଙ୍କର ବୟସ ୩୮। ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସେ ପଶ୍ଚିମବଙ୍ଗରୁ ଫେରିଥିଲେ ବୋଲି ସୂଚନା ମିଳିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି। ଆଜି ସକାଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳର ୩ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଅପରାହ୍ଣରେ ରାଜ୍ୟ ପାଇଁ ଖୁସି ଖବର ଥିଲା ୨ଜଣ କରୋନା ରୋଗୀ ସୁସ୍ଥ ହୋଇଥିଲେ ବୋଲି ଜଣାପଡ଼ିଥିଲା। ହେଲେ ପୁଣି ଜଣେ କରୋନା ପଜେଟିଭ୍ ଚିହ୍ନଟ ରାଜ୍ୟ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରୁ ୮୩କୁ ବୃଦ୍ଧି ପାଇଛି। ସୁସ୍ଥ ହୋଇଛନ୍ତି ୩୨ଜଣ। ଜଣେ ମୃତ୍ୟୁ ବରଣ କରିଛନ୍ତି। ୫୦ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।