ଡମ୍ପର ଧକ୍କାରେ ଯୁବକ ମୃତ, ୧୦ ଘଣ୍ଟା ରାସ୍ତା ଅବରୋଧ

କ.ନୁଆଗାଁ,ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ପୁରୁଣାନୂଆଗାଁ ରାସ୍ତାରେ ଆଜି ଏକ ବାଲି ବୋଝେଇ ଡମ୍ପର ଧକ୍କାରେ ଜଣେ ଯୁୁବକର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକ ହେଲେ ପୁରୁଣା ସାହିର ଦିଲ୍ଲୀପ ବିଶୋୟୀ (୨୭)। ଦୁର୍ଘଟଣା ପରେ  କ୍ଷତିପୂରଣ ଦାବିରେ ଶହଶହ ଅଞ୍ଚଳବାସୀ ପୁରୁଣାନୂଆଗାଁ ରାସ୍ତା ଅବରୋଧ କରିଥିଲେ। ଫଳରେ ପ୍ରାୟ ୧୦ ଘଣ୍ଟା ଧରି ଫୁଲବାଣୀ-ବାଲିଗୁଡ଼ା-ମୁନିଗୁଡ଼ା-କୋଟଗଡ଼-ତୁମୁଡ଼ିବନ୍ଧ-ରାମପୁର-ଭବାନୀପାଟଣା ଓ ରାୟଗଡ଼ା ଆଦି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଖବରପାଇ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବାଲିଗୁଡା ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ,କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ, ବିଡିଓ ମନୋଜ ତ୍ରୀପାଠୀ, ତହସିଲଦାର ସଶାଙ୍ଗ ଶେଖର ପାତ୍ର ପ୍ରମୁଖ ଉତ୍ତ୍ୟକ୍ତଙ୍କ ସହ ଆଲୋଚନା କରିଥିଲେ। ଠିକା ସଂସ୍ଥା ପକ୍ଷରୁ ୨୫ ହଜାର ଟଙ୍କା ପ୍ରଦାନ କରିବା ସହିତ ବଳକା ୪ ଲକ୍ଷ ୭୫ ହଜାର ଟଙ୍କା ୨ ଦିନ ମଧ୍ୟରେ ପରିବାରକୁ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ମିଳିବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।