ପ୍ରତି ବ୍ଲକରେ ସରକାରୀ କଲେଜ ଖୋଲାଯାଉ: ବଳଭଦ୍ର ମାଝୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୮ତାରିଖରେ ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ । ଏନେଇ ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ସୂଚନା ଦେଇଛନ୍ତି । ଜିଲ୍ଲାର ବହୁ ବ୍ଲକରେ କଲେଜ ନାହିଁ । ପ୍ରତି ବ୍ଲକରେ ସରକାରୀ କଲେଜ ଖୋଲିବା ପାଇଁ ଶ୍ରୀ ମାଝୀ ଦାବୀ କରିଛନ୍ତି । ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗର ୫୫ ପ୍ରତିଶତ, ଅନୁସୂଚିତ ଜାତି ବର୍ଗର ୧୫ ପ୍ରତିଶତ, ଓବିସି ବର୍ଗର ୨୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୯୦ ପ୍ରତିଶତ ଛାତ୍ରଛାତ୍ରୀ ପଢୁଛନ୍ତି । କିନ୍ତୁ ଟଙ୍କିକିଆ ଚାଉଳ ଉପରେ ନିର୍ଭର କରୁଥିବା ଶତକଡା ୮୦ ଭାଗ ପରିବାର କିପରି ଅଧିକ ଟଙ୍କା ଦେଇ ଘରୋଇ କଲେଜରେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବେ । ନବରଙ୍ଗପୁର କଲେଜକୁ ୫୨ ବର୍ଷ ପୁରିଥିଲେ ମଧ୍ୟ ସରକାରୀ ହେବା ତ ଦୂର କଥା ନା ଖୋଲିଛି ପିଜି ପାଠ୍ୟକ୍ରମ ନା ହୋଇଛି ଅଟନୋମସ ବୋଲି ଶ୍ରୀ ମାଝୀ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ବିଜେପି ସଭାପତି ଜଗଦିଶ ବିଷୋୟୀ, ବିଜେପି ନେତା ଗୌରୀ ମାଝୀ, ପୌର ଅଧ୍ୟକ୍ଷ କୁନୁ ନାୟକ, ଦେବଦାସ ମହାକୁଡ଼, କାଉନସିଲର ଶର୍ମିଷ୍ଠା ଦେଓ ଓ ଶୁଭମ ଚୌଧୁରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।