ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ଟାଙ୍କଜନକଚ୍ଚା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୀ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଁର ପ୍ରାୟ ୩୦ରୁ ଊଦ୍ଧ୍ୱର୍ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଗତ ୧୫ଦିନ ହେଲା ଗାଁର ଛୋଟରୁ ବଡ଼ ପ୍ରାୟ ସମସ୍ତଙ୍କୁ ଝାଡ଼ାବାନ୍ତି ବ୍ୟାପୀ ଥିଲେ ସୁଦ୍ଧା ଗାଁର ଏଏନଏଏମ୍ ଦିଦି ଆଦୌ ଗାଁକୁ ଆସୁନାହାନ୍ତି। ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଏନେଇ ଏଏନଏମ୍ ଦିଦିଙ୍କୁ ଜଣାଇଥିଲେ ସୁଦ୍ଧା ସେଗାଁର ଆଶା ଦିଦି ମଞ୍ଜୁ ମାଝୀଙ୍କ ହାତରେ ଓଆର୍ଏସ୍ ପାଉଡର ଓ ବଟିକା ପଠାଇ ଦେଇ ଚୁପ୍ ବସିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଫଳରେ ଗତ ସୋମବାର ଦିନ ସୀତା ମାଝୀ(୫୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଗାଁର ପ୍ରାୟ ୩୦ରୁ ଊଦ୍ଧ୍ୱର୍ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସାଳୟରେ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ରୀନା ମାଝୀ(୧୮), ପୁରୁଷୋତ୍ତମ ମାଝୀ(୪୫) ଓ ତିଳୋତ୍ତମା ମାଝୀ (୨୦)ଙ୍କ ଅବସ୍ଥା ଅତି ଗୁରୁତର ରହିଛି। ଖବରପାଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଜଗୁଲାଲ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଏକ ଡାକ୍ତରୀ ଦଳ ଘାଇକୁ ଯାଇ ଔଷଧ ବାଣ୍ଟିଥିବା ବେଳେ ସୀତା ମାଝୀ(୫୦)ଙ୍କ ମୃତ୍ୟୁ ଝାଡ଼ାବାନ୍ତି ପାଇଁ ନୁହଁ ବରଂ ଜ୍ୱର ପାଇଁ ହୋଇଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି।